ପୃଥିବୀ ବ୍ୟାପୀ ସବୁ ଧର୍ମରେ ସବୁ ସଭ୍ୟତାରେ ବିବାହର ଏକ ସ୍ବତନ୍ତ୍ରତା ରହିଥାଏ। ଭାରତରେ ମଧ୍ୟ ହିନ୍ଦୁ ବିବାହରେ ଏକ ବିଶେଷତ୍ୱ ରହିଛି। ନିକଟରେ ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଗଣ ବିବାହରେ ଯେଉଁ କେଳେଙ୍କାରି ଘଟିଯାଇଛି ତାହା ଏକ କୌତୂହଳପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି। ଗତ ମାସ ୨୫ରେ ଉତ୍ତରପ୍ରଦେଶ ବଲିଆରେ ଆୟୋଜିତ ଏକ ଗଣ ବିବାହ ଉତ୍ସବରେ ମିଛ ବରକନ୍ୟାଙ୍କୁ ଆଣି ବିବାହ କରାଯାଇଥିଲା। ହୋଇଥିବା ଜାଲିଆତିର ପର୍ଦ୍ଦାଫାଶ ହେବା ପରେ ୨ ସରକାରୀ ଅଧିକାରୀଙ୍କ ସହ ୧୫ ଜଣଙ୍କୁ ଗିରଫ କରାଯାଇଛି। କନ୍ୟା ଓ ବର ଭାବେ ଗଣବିବାହରେ ଅଭିନୟ କରିବା ଲାଗି ୨୦୦ ଯୋଡ଼ିଙ୍କୁ ୫୦୦ରୁ ୨୦୦୦ ଟଙ୍କା ଯାଏ ଦିଆଯାଇଥିଲା ବୋଲି ଜଣାପଡ଼ିଛି। ଏଭଳି ଗଣବିବାହରେ ଭାଗନେଇଥିବା ପ୍ରତ୍ୟେକ କନ୍ୟା ପାଇଁ ମୋଟ୍ ୫୧ ହଜାର ଟଙ୍କା ସରକାରୀ ସ୍ତରରେ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି ସରକାରୀ ସହାୟତା ଯେତେବେଳେ ଅନେକ ଶହ ମହିଳାଙ୍କ ନାମରେ ରାଜକୋଷରୁ ଦିଆଯାଉଛି, ସେତେବେଳେ ସେହି ପରିମାଣ ଏକ ବିରାଟ ରୂପ ଧାରଣ କରୁଛି। ସମ୍ଭବତଃ ଏହିଭଳି ବିବାହ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ହୋଇ ଆସୁଛି। କିନ୍ତୁ କୌଣସି ଗଣମାଧ୍ୟମ ଏଭଳି ଘଟଣାକୁ ପୂର୍ବରୁ ଲୋକଲୋଚନକୁ ଆଣି ନ ଥିଲା। ୨୫ ଜାନୁଆରୀ ବଲିଆ ଘଟଣାକୁ ଆଶ୍ଚର୍ଯ୍ୟଜନକ ଭାବେ ଆଦାନୀ କମ୍ପାନୀର ଏନ୍ଡିଟିଭି ମାଧ୍ୟମରେ ଦେଶବାସୀ ଜାଣିବାକୁ ପାଇଲେ। ପରବର୍ତ୍ତୀ ସମୟରେ ଅନ୍ୟ ଗଣମାଧ୍ୟମରେ ମଧ୍ୟ ଏହି ଖବର ବହୁଳ ପ୍ରସାରିତ ହୋଇଥିଲା। କେତେକ ସୂତ୍ରରୁ କୁହାଗଲା ଯେ, ଗୁଜରାଟୀ ବ୍ୟବସାୟୀ ଆଦାନୀଙ୍କ ଚାନେଲ ମାଧ୍ୟମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବଦ୍ନାମ କରିବା ପାଇଁ ଏହା ଏକ ବଡ଼ ଧରଣର ଷଡ଼ଯନ୍ତ୍ରର ଆରମ୍ଭ ମାତ୍ର। ଆସନ୍ତା ଦିନମାନଙ୍କରେ ଆଉ କେତେକେ ଏହିଭଳି ଦୋଷାରୋପ ଆଣି ଆଦିତ୍ୟନାଥଙ୍କୁ ବଦ୍ନାମ କରିବା ପାଇଁ ଚେଷ୍ଟା କରାଯାଇପାରେ। ସମସ୍ତେ ଜାଣନ୍ତି ଯେ, କଂଗ୍ରେସ, ସମାଜବାଦୀ ପାର୍ଟି କିମ୍ବା ଅନ୍ୟ କୌଣସି ଅଣ ଭାଜପା ଦଳର ଇଙ୍ଗିତରେ ଏନ୍ଡିଟିଭି କାର୍ଯ୍ୟକ୍ରମ ପ୍ରସ୍ତୁତ କରେ ନାହିଁ। ସେଥିପାଇଁ ଅନ୍ୟ କ୍ଷମତାର ପ୍ରଭାବ ପଡ଼ିଥାଇପାରେ। ତେବେ କେବଳ ରାଜନୀତିରେ ଏହି ଘଟଣାକୁ ସୀମିତ କରିଦେବା ଅନୁଚିତ ହେବ।
ବଲିଆର ଗଣବିବାହ ବହୁଭାବରେ ସାଧାରଣ ଭାରତୀୟଙ୍କ ଏବକାର ଚରିତ୍ର ଦର୍ଶାଉଛି। ପୂର୍ବରୁ ସିନେମାରେ ମିଛିମିଛିକା ବିବାହର ଦୃଶ୍ୟରେ ଭାଗନେବାକୁ ଭାରତୀୟ ତାରକାମାନେ ଅନିଚ୍ଛୁକ ହେଉଥିଲେ। ତାହାର କାରଣ ହେଲା ଏହି ସଂସ୍କୃତିରେ ନାରୀର ହାତ ଧରି ସାତଫେରା କରିଲେ ଅନେକ ଦାୟିତ୍ୱ ଉଭୟଙ୍କ ଉପରେ ଆସିଯାଏ, ଯାହା କି ଏକ ପବିତ୍ର ବନ୍ଧନ ବୋଲି ବିବେଚିତ ହେଉଥିଲା। ଅର୍ଥାତ୍ ବିବାହର ଅଭିନୟ କରିବାକୁ ଅନେକେ ଭୟ କରୁଥିଲେ। ଆଜିର ସାମାଜିକ ପରିସ୍ଥିତିରେ ସେଭଳି ଭୟ କାହାରି ମନରେ ଦିଶୁନାହିଁ। ଯେକୌଣସି ମତେ ଏବଂ ଯେଉଁ ପ୍ରକାରର ଆବଶ୍ୟକତା ଉପୁଜୁଛି ତାହାର ଲାଭ ଉଠାଇବାକୁ ଯାଇ ଅସତ୍ୟ କିମ୍ବା ଜାଲିଆତି ମାଧ୍ୟମରେ ଅର୍ଥ ଲାଭ କରିବା କାହାରିକୁ ବିଚଳିତ କରୁନାହିଁ। ଯଦି କୌଣସି ଅର୍ଥ ପକେଟରେ ପଶିଲା ତେବେ ସବୁ ପ୍ରକାର ଅନୈତିକ କାର୍ଯ୍ୟ କରିବା ପାଇଁ ଆଜିର ଅଧିକାଂଶ ଭାରତୀୟ ଯୁବତୀଯୁବକ ପ୍ରସ୍ତୁତ ହୋଇଯାଉଛନ୍ତି। ଏହି ରୋଗ କେବଳ ଯୁବପିଢ଼ିରେ ସୀମିତ ରହୁନାହିଁ। ଅର୍ଥ ଅର୍ଜନ କରୁଥିବା ପିଲାଙ୍କୁ ତାଙ୍କର ମାତାପିତା ସବୁ ପ୍ରକାରର ସାହାଯ୍ୟ କରିବାକୁ ପ୍ରସ୍ତୁତ ହୋଇ ରହୁଛନ୍ତି। ଆପତ୍ତି କରିବାର ସୁଯୋଗ ଉପୁଜୁ ନାହିଁ।
ଉତ୍ତର ପ୍ରଦେଶର ଗଣବିବାହର ଭିଡିଓ ଦେଖିଲେ ସେଠାରେ ଥିବା ଯୁବତୀମାନେ ଯେଉଁଭଳି ନିଜ ବେକରେ ନିଜେ ଫୁଲମାଳ ପକାଉଥିଲେ ସେଥିରୁ ସ୍ପଷ୍ଟ ବୁଝାପଡୁଥିଲା ଯେ, ଏହି ଦେଶର ଆଜିର ସମାଜରେ ନରନାରୀ ଭିତରେ କୌଣସି ତଫାତ୍ ରହିଲା ନାହିଁ। ଯଦି ଏହି ବିଷୟଟି ପଦାକୁ ଆସିପାରିଲା ତାହାର ଏକମାତ୍ର କାରଣ ହେଲା ଅର୍ଥ ପାଇବା ପ୍ରତିଶ୍ରୁତି ମିଳିଥିବା କେତେଜଣ ଯୁବକଙ୍କୁ ସନ୍ତୋଷଜନକ ଟଙ୍କା ମିଳିଲା ନାହିଁ। ଚୋର ଗୋଷ୍ଠୀ ଭଳି ଅର୍ଥ ଦେବାନେବାରେ ବୁଝାମଣା ହୋଇପାରୁ ନ ଥିବା ହେତୁ ଜାଲିଆତିଟି ଧରାପଡ଼ିଲା। ଏହା କେବଳ ଉତ୍ତର ପ୍ରଦେଶ କିମ୍ବା ଗଣବିବାହରେ ଆଜିର ଭାରତୀୟ ଚରିତ୍ରର ଉଦାହରଣ ନୁହେଁ। ଏଭଳି ଅସତ୍ୟ ଉପରେ ଆଧାରିତ ଦୁର୍ନୀତିରେ ସମସ୍ତେ ସବୁଆଡ଼େ ଲିପ୍ତ ଅଛନ୍ତି। ଯେଉଁମାନେ କୌଣସି ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ହୋଇପାରି ନାହାନ୍ତି, ସେମାନେ ଏହିଭଳି ଭିଡିଓ କିମ୍ବା ଲେଖା ପ୍ରସ୍ତୁତ କରି ନିଜର ଅପାରଗତା ପ୍ରଦର୍ଶନ କରୁଛନ୍ତି। ଆଜିର ଭାରତରେ ଏହିଭଳି ଅପାରଗ ନାଗରିକ ବାସ୍ତବ ରାମ ରାଜ୍ୟ ସୃଷ୍ଟି କରିପାରିବେ।