Advertisement

କ୍ଷୁଦ୍ରଦାନା ଶସ୍ୟରେ ପ୍ରସ୍ତୁତି ଖାଦ୍ୟର ବଢୁଛି ଚାହିଦା, ହଜି ଯାଉଥିବା ପାରମ୍ପରିକ ଚାଷକୁ…

ଦାରିଙ୍ଗବାଡ଼ି,୩୦ା୧୦(ଅରୁଣ ସାହୁ): ବଢୁଛି ପାରମ୍ପରିକ ଖାଦ୍ୟର ଚାହିଦା। ହଜିଯାଇଥିବା ଖାଦ୍ୟର ପୁନରୁଦ୍ଧାର ସହ ସ୍ବାସ୍ଥ୍ୟର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଶ୍ରୀ ଅନ୍ନ ଅଭିଯାନରେ ବ୍ୟାପକ ଜନସଚେତନ କାର୍ଯ୍ୟ କରାଯାଉଛି। ପାରମ୍ପରିକ ଶସ୍ୟରେ ବିଭିନ୍ନ ଖାଦ୍ୟ ତଥା କାଙ୍ଗୁ ଖିରି, ମାଣ୍ଡିଆ ସୁପ୍‌, ଲଡ଼ୁ, ଲବଙ୍ଗଳତା, କାକେରା, ଆରିସା, ଜିଲାବି, ଖଜା, ବାରମଜା, ଦାନ୍ତକିଲି, ଆଳୁଚପ୍‌, ବରା,ସିଙ୍ଗଡ଼ା,ଚାଓମିନ ଭଳି ଭଳିକି ଭଳି ଖାଦ୍ୟ କରାଯାଉଛି।

ବୁଧବାର ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରଙ୍କ ସହ ସହଭାଗିତାରେ ଶ୍ରୀ ଅନ୍ନ ଅଭିଯାନର ଦାୟିତ୍ୱରେ କାର୍ଯ୍ୟ କରୁଥିବା ଜାଗୃତି ଅନୁଷ୍ଠାନର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଠ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ଓଡ଼ିଶା ଜୀବିକା ମିଶନର ବିପିଏମ୍‌ ପିଣ୍ଟୁ ନାୟକ, କୃଷି ଅଧିଦର୍ଶକ ପ୍ରଭାତ ବେହେରା,ନୀଳାଦ୍ରିନାଥ ସାବତ, ମହିଳା ଫେଡେରେଶନର ସଭାନେତ୍ରୀ ରଶ୍ମିଦେବୀ ନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ। ପାରମ୍ପରିକ ଚାଷକୁ ଗୁରୁତ୍ୱ ଦେବା ସହ ହଜିଯାଉଥିବା ପାରମ୍ପରିକ ଖାଦ୍ୟକୁ ପୁଣି ପୁନରୁଦ୍ଧାର କରି ଖାଦ୍ୟ ଭାବେ ଗ୍ରହଣ କରିବାକୁ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା।

ଏବେ ଅଧିକାଂଶ ଫାଷ୍ଟ ଫୁଡ୍‌ ଖାଦ୍ୟକୁ ପ୍ରାଧାନ୍ୟ ଦେଉଛନ୍ତି। ଫଳରେ ବିଭିନ୍ନ ଭୟଙ୍କର ରୋଗର ଶିକାର ହେଉଛନ୍ତି। ତେଣୁ ମାଣ୍ଡିଆ, କୁଇରୀ, କାଙ୍ଗୁ, ବାଜରା, ଯଅ, ଜହ୍ନା ଭଳି ଶସ୍ୟକୁ ଖାଦ୍ୟ ଭାବେ ଗ୍ରହଣ କରିବା ଓ ଏହାର ବହୁଳ ଭାବେ ଚାଷ କରିବା ରାସାୟନିକ ପ୍ରୟୋଗ ଖାଦ୍ୟଠାରୁ ଦୂରରେ ରହିବା ଆଦି ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦ଟି ପଞ୍ଚାୟତର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପାରମ୍ପରିକ ଫଳ, ପନିପରିବା, ଶସ୍ୟ ଓ ଶସ୍ୟରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ଜାଗୃତିର ପ୍ରକଳ୍ପ ସଂଯୋଜକ ଦେବାନନ୍ଦ ଦାସ, ସିଆରପି ପ୍ରଫୁଲ ମହାପାତ୍ର, ଧ୍ରୁବ ଚରଣ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share