ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା।

ବରଗଡ଼ ସହରର ଥାନା ଛକଠାରୁ ଲେଙ୍ଗୁ ମିଶ୍ର ଛକ ପର୍ଯ୍ୟନ୍ତ ଏବଂ ଘରୋଇ ବସଷ୍ଟାଣ୍ଡ୍‌ ପାଖ ଉଠା ଦୋକାନୀଙ୍କ ପାଇଁ ଟ୍ରାଫିକ ସମସ୍ୟା ଉପୁଜି ଆସୁଥିବା ନେଇ ଉପସ୍ଥିତ ସଭ୍ୟ ସଭାରେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଫଳରେ ଏହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ ପୌର ପରିଷଦ ନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସମ୍ପୃକ୍ତ ଅଞ୍ଚଳର ଉଠାଦୋକାନ ଉଚ୍ଛେଦ କରାଯିବାର ସମ୍ଭାବନା ରହିଛି। ସେହିପରି ରାସ୍ତାରେ ଟ୍ରାଫିକ ଲାଇଟ୍‌ ବ୍ୟବସ୍ଥା ତୁରନ୍ତ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସହର ଉପକଣ୍ଠ ହଲଦୀପାଲି ଛକରେ ରାତି ସମୟରେ ଅସାମାଜିକତତ୍ତ୍ୱ ବଢ଼ି ଚାଲିଥିବା ଯୋଗୁ ସେ ଦିଗରେ ପଦକ୍ଷେପ ନେବା ପାଇଁ ପୋଲିସକୁ କୁହାଯାଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀ ସାବୁଆ ମାଝି ଧନ୍ୟବାଦ ଅର୍ପଣ କରିଥିଲେ।

Share