ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ଅଭିବୃଦ୍ଧି

ଭୁବନେଶ୍ୱର,୧୪।୭(ଅନୁରାଧା ମହାରଣା): ବ୍ୟକ୍ତିଗତ ଆୟକର ସଂଗ୍ରହ କର୍ପୋରେଟ ଟିକସ ସଂଗ୍ରହକୁ ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ ୧ରୁ ଜୁଲାଇ ୧୧ ମଧ୍ୟରେ (୨୦୨୪-୨୫) ମଧ୍ୟରେ ସମୁଦାୟ ନିଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇ ୫.୭୪ ଲକ୍ଷ କୋଟି ଟଙ୍କା ହୋଇଥିବା ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି। ବ୍ୟକ୍ତିଗତ ଆୟକର ସଂଗ୍ରହ କର୍ପୋରେଟ ଟ୍ୟାକ୍ସ ସଂଗ୍ରହକୁ ଅତିକ୍ରମ କରିଚାଲିଛି, ସିକ୍ୟୁରିଟି ଟ୍ରାନଜାକସନ ଟ୍ୟାକ୍ସ (ଏସଟିଟି) ସଂଗ୍ରହ ଦୁଇଗୁଣରୁ ଅଧିକ ହୋଇ ଆର୍ଥିକବର୍ଷ ୨୦୨୪-୨୫ ରେ ୧୬,୬୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ଡାଇରେକ୍ଟ ଟ୍ୟାକ୍ସରେ ବ୍ୟକ୍ତିଗତ ଆୟକର ଏବଂ କର୍ପୋରେଟ ଟ୍ୟାକ୍ସ ଅନ୍ତର୍ଭୁକ୍ତଥିବାବେଳେ ଷ୍ଟକ ମାର୍କେଟ ବାଣିଜ୍ୟ କାର୍ଯ୍ୟକଳାପରେ ତୀବ୍ର ବୃଦ୍ଧି ହେତୁ ସାମଗ୍ରିକ ବ୍ୟକ୍ତିଗତ ଆୟକର ସଂଗ୍ରହରେ ଗଣାଯାଇଥିବା ଏସଟିଟି ସଂଗ୍ରହ ବୃଦ୍ଧି ପାଇଛି। ଆର୍ଥିକ ବର୍ଷ ୨୦୨୩-୨୫ରେ ଏପ୍ରିଲ ୧ରୁ ଜୁଲାଇ ୧୧ ମଧ୍ୟରେ ଏସଟିଟି ସଂଗ୍ରହ ୭,୨୮୫ କୋଟି ଟଙ୍କା ଥିଲା।
ଗତ ଦୁଇ ଆର୍ଥିକ ବର୍ଷରେ କର୍ପୋରେଟ ଟ୍ୟାକ୍ସ ସଂଗ୍ରହ ଅପେକ୍ଷା ବ୍ୟକ୍ତିଗତ ଆୟକର ସଂଗ୍ରହ ଅଧିକ ବୃଦ୍ଧି ପାଇଛି। ତଥ୍ୟ ଦର୍ଶାଉଛି ଯେ ବ୍ୟକ୍ତିଗତ ଆୟକର ସଂଗ୍ରହ ଏହି ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ସଂଗୃହିତ ମୋଟ ନିଟ ପ୍ରତ୍ୟକ୍ଷ ଟ୍ୟାକ୍ସର ୬୦ ପ୍ରତିଶତ ଅଟେ।
ରିଫଣ୍ଡ ପାଇଁ ସମାୟୋଜିତ କରି ବ୍ୟକ୍ତିଗତ ଆୟକର ସଂଗ୍ରହ ଗତ ବର୍ଷ ତୁଳନାରେ ୨୧.୪୧ ପ୍ରତିଶତ ବୃଦ୍ଧି ହୋଇ ଜୁଲାଇ ୧୧ ପର୍ଯ୍ୟନ୍ତ ଏହି ଆର୍ଥିକ ବର୍ଷରେ ୩.୪୬ ଲକ୍ଷ କୋଟିରେ ପହଞ୍ଚିଛି। ଏସଟିଟି ସହିତ ବ୍ୟକ୍ତିଗତ ଆୟକର ସଂଗ୍ରହର ଅଭିବୃଦ୍ଧି ହାର ୨୪.୦୭ ପ୍ରତିଶତ ହୋଇଛ। ଅନ୍ୟପକ୍ଷରେ, ନିଟ କର୍ପୋରେଟ ଟିକସ ସଂଗ୍ରହ ୧୨.୪୭ ପ୍ରତିଶତ ବୃଦ୍ଧି ହୋଇ ୨.୧୦ ଲକ୍ଷ କୋଟିରେ ପହଞ୍ଚିଛି। ରିଫଣ୍ଡ ପୂର୍ବରୁ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨୩.୨ ପ୍ରତିଶତ ବୃଦ୍ଧି ହୋଇ ଚଳିତ ଆର୍ଥିକ ବର୍ଷରେ ଜୁଲାଇ ୧୧ ପର୍ଯ୍ୟନ୍ତ ୬.୪୫ ଲକ୍ଷ କୋଟିରେ ପହଞ୍ଚିଛି। ଏପ୍ରିଲ ୧ ରୁ ଜୁଲାଇ ୧୧ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ରିଫଣ୍ଡ ୬୪.୫ ପ୍ରତିଶତ ବୃଦ୍ଧି ହୋଇ ୭୦,୯୦୨ କୋଟିରେ ପହଞ୍ଚିଛି।

Share