ଗ୍ଲାଗୋଲେଭଙ୍କୁ ପୁରୀ ଭଡ଼ାଘରେ ଛାଡ଼ିଲା ଜିଆର୍‌ପି

ପୁରୀ ଅଫିସ, ୩ା୧:ଭୁବନେଶ୍ୱର ରେଳଷ୍ଟେଶନରୁ ଉଦ୍ଧାର ହୋଇଥିବା ରୁଷୀୟ ପର୍ଯ୍ୟଟକ ଗ୍ଲାଗୋଲେଭ ଆଣ୍ଡ୍ର୍ୟୁ (୬୫)ଙ୍କୁ ସୋମବାର ଜିଆର୍‌ପି ନେଇ ପୁରୀର ଗଙ୍ଗାରାମ ନୂଆସାହି ଅଞ୍ଚଳରେ ସେ ରହୁଥିବା ତାଙ୍କ ଭଡ଼ା ଘରେ ଛାଡ଼ିଛି। ଗ୍ଲାଗୋଲେଭଙ୍କ ଉପରେ ନଜର ରଖିବା ସହ ତାଙ୍କ ସମ୍ପର୍କରେ ଜିଲା ପ୍ରଶାସନକୁ ଆବଶ୍ୟକ ତଥ୍ୟ ଦେବା ଲାଗି ସମ୍ପୃକ୍ତ ଘରମାଲିକ ଓ ସ୍ଥାନୀୟ ପୋଲିସକୁ କୁହାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଗ୍ଲାଗୋଲେଭଙ୍କ ସମ୍ପର୍କରେ ପୁରୀ ପୋଲିସ ନିକଟରେ କୌଣସି ତଥ୍ୟ ନ ଥିବା ଜଣାପଡ଼ିଛି। ସେହିପରି ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା ଅତିରିକ୍ତ ଏସ୍‌ପି ମିହିର ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଭୁବନେଶ୍ୱର ରେଳଷ୍ଟେଶନରେ ଗ୍ଲାଗୋଲେଭ ଏକ ପ୍ଲାକାର୍ଡ ଧରି ଛିଡ଼ା ହୋଇଥିବା ନଜରକୁ ଆସିଥିଲେ। ଯେଉଁଥିରେ ସେ ‘ମୁଁ ଜଣେ ରୁଷୀୟ ଶରଣାର୍ଥୀ। ଯୁଦ୍ଧକୁ ବିରୋଧ କରେ। ଏଥିସହ ମୁଁ ରାଷ୍ଟ୍ରପତି ପୁଟିନଙ୍କ ବିରୋଧୀ। ମୋର ଘରଦ୍ୱାର ନାହିଁ। ଦୟାକରି ମୋତେ ସାହାଯ୍ୟ କର’ ବୋଲି ପ୍ଲାକାର୍ଡରେ ଲେଖି ବୁଲୁଥିଲେ। କିନ୍ତୁ ତା’ପରଦିନ ଷ୍ଟେଶନରୁ କୁଆଡ଼େ ଚାଲିଯାଇଥିଲେ। ଏହାର ଦିନକ ପରେ ୩୧ ତାରିଖରେ ତାଙ୍କୁ ଭୁବନେଶ୍ୱର ରେଳଷ୍ଟେଶନରୁ ବୁଲୁଥିବା ଅବସ୍ଥାରେ ଜିଆର୍‌ପି ଉଦ୍ଧାର କରିଥିଲା। ଉଲ୍ଲେଖ ଥାଉ କି, ଗ୍ଲାଗୋଲେଭ ମସ୍କୋର ବାସିନ୍ଦା। ସେ ୨୦୧୬ ମାର୍ଚ୍ଚ ୨୭ରେ ୬ମାସ ପାଇଁ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିଲେ। ସେ ପ୍ରଥମେ ଉତ୍ତରପ୍ରଦେଶର ବୃନ୍ଦାବନରେ ରହୁଥିଲେ। ୫ବର୍ଷ ତଳେ ପ୍ରଥମ ଥର ପାଇଁ ସେ ପୁରୀ ଆସିଥିଲେ। ଏଠାରେ ୩ମାସ ରହିବା ପରେ ସେ ବୃନ୍ଦାବନ ଫେରିଯାଇଥିଲେ। ଗତ ୩ମାସ ତଳେ ପୁଣି ପୁରୀ ଆସି ଏକ ଆଶ୍ରୟ ଗୃହରେ ରହୁଥିଲେ। ପରେ ଗତ କିଛି ଦିନ ହେବ ପୁରୀ ଗଙ୍ଗାରାମ ନୂଆସାହିର ଦେବାଶିଷ ଖୁଣ୍ଟିଆଙ୍କ ଘରେ ଭଡ଼ା ରହୁଥିବା ଜଣାପଡ଼ିଛି। ଗ୍ଲାଗୋଲେଭ ନୂଆଦିଲ୍ଲୀସ୍ଥିତ ୟୁନାଇଟେଡ ନେଶନ ଫର୍‌ ହାଇ କମିଶନର ଫର ରିଫ୍ୟୁଜି (ୟୁଏନ୍‌ଏଚ୍‌ଆର୍‌ସିଆର)କୁ ଶରଣାର୍ଥୀ ମାନ୍ୟତା ପାଇଁ ଆବେଦନ କରିଥିଲେ, ଯାହାକି ବିଚାରାଧୀନ ରହିଛି। କିଛିଦିନ ତଳେ ରାୟଗଡ଼ା ବୁଲିବାକୁ ଆସିଥିବା ୨ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଗ୍ଲାଗୋଲେଭଙ୍କ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି।

Share