ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ହତ୍ୟା ମାମଲା ରୁଜୁ କଲା ଜିଆର୍‌ପି ପୋଲିସ

ଭୁବନେଶ୍ୱର,୯।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ପ୍ରଥମେ ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ଗୁରୁବାର ଜିଆର୍‌ପି ଥାନାରେ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ ହୋଇଛି। ଆଦିତ୍ୟଙ୍କ ସଂଗଠନ ‘ପିପୁଲ୍‌ସ ଫର୍‌ ସେବା’ର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ଏଥିସହ ତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଜିଆର୍‌ପି ପୋଲିସର ହସ୍ତଗତ ହୋଇଛି। ମୁଣ୍ଡରେ ଶକ୍ତ ଆଘାତ କାରଣରୁ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଆସିଛି।

ପ୍ରକାଶ ଯେ, ମଙ୍ଗଳବାର ସୁନ୍ଦରପଦା ଲିଙ୍ଗରାଜ ରେଳ ଷ୍ଟେଶନ ନିକଟରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ତେବେ ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦିଆଯାଇଥିବା ସଂଗଠନର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ତାଙ୍କ ମୃତ୍ୟୁର ସଠିକ ତଦନ୍ତ କରି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ଦାବି କରିଛନ୍ତି। ଅପରପକ୍ଷେ ଆଦିତ୍ୟଙ୍କ ଆତ୍ମହତ୍ୟା ନୋଟ୍‌ ପୋଲିସର ହସ୍ତଗତ ହୋଇଛି।

Share