କେନ୍ଦୁଝର/ ଘଟଗାଁ (ସ୍ବ.ପ୍ର.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣା ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆର୍ଏସ୍)ଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯାଗରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଜିଆର୍ଏସ୍ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ଘର ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛନ୍ତି। ତାଙ୍କ ବାସଭବନ, ନୂଆ ଲଜ୍, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ କେନ୍ଦୁଝର ଏବଂ ବାଲେଶ୍ବର ଭିଜଲାନ୍ସ ବିଭାଗର ୪ଟି ଟିମ ଚଢାଉ କରିଥିବା ଜଣାପଡ଼ିଛି।
ପ୍ରକାଶ ଥାଉକି, ସୌଭାଗ୍ୟଲକ୍ଷ୍ମୀ ମୁକୁନ୍ଦପୁରପାଟଣା ପଞ୍ଚାୟତରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା ବେଳେ ପୂର୍ବରୁ ତାଙ୍କ ନାଁରେ ବହୁ ଅଭିଯୋଗ ରହିଥିଲା। ମଙ୍ଗଳବାର ଦିନ ସାରା ଏହି ଚଢ଼ାଉ ଜାରି ରହିଥିବା ବେଳେ ସମସ୍ତ ସମ୍ପତ୍ତିର ଆକଳନ ପରେ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ାଉ ବେଳେ ପୈତୃକ ଘର ବ୍ୟତୀତ ଦୁଇଟି ଘର, ବୀମା, ସୁନା ଗହଣା, କାର, ଜମି, ବ୍ୟାଙ୍କ ଜମା, କ୍ୟାସ, ଆଦି ମିଶାଇ ୨ କୋଟିରୁ ଟଙ୍କାର ସମ୍ପତ୍ତିରୁ ଅଧିକ ହୋଇପାରେ ବୋଲି କହିଛନ୍ତି ଇନ୍ସପେକ୍ଟର ହେମାମାଳିନୀ ନାୟକ । ଡିଏସ୍ପି ଏସ୍.କେ. ସାମନ୍ତରାୟ ଓ ଡି.ସି ମୁର୍ମୁ, ଇନ୍ସପେକ୍ଟର ଡି.ଘଡେଇଙ୍କ ସମେତ ୪ ଭାଗରେ ବିଭକ୍ତ ହୋଇଥିବା ୧୫ ଜଣିଆ ଦଳ ଚଢ଼ାଉ କରିଛି।