ଜୁଲାଇରେ ଜିଏସଟି ସଂଗ୍ରହ ୧.୬୫ ଲକ୍ଷ କୋଟିରୁ ଅଧିକ, ପଞ୍ଚମ ଥର ପାଇଁ ୧.୬୦ ଲକ୍ଷ କୋଟି ଟପିଲା…

ନୂଆଦିଲ୍ଲୀ,୧।୮ : ସାମଗ୍ରୀ ଏବଂ ସେବା କର (ଜିଏସଟି) ସଂଗ୍ରହ ଜୁଲାଇରେ ୧୧ ପ୍ରତିଶତ ବୃଦ୍ଧି ପାଇ ୧.୬୫ ଲକ୍ଷ କୋଟିରୁ ଅଧିକ ହୋଇଛି। ପରୋକ୍ଷ ଟିକସ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ କ୍ରମାଗତ ପଞ୍ଚମ ମାସ ପାଇଁ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ଅତିକ୍ରମ କରିଛି। ଗତ ମାସରେ ଏହା ୧,୬୫,୧୦୫ କୋଟି ଟଙ୍କା ରହିଥିଲା, ଯେଉଁଥିରେ ସିଜିଏସଟ ୨୯,୭୭୩ କୋଟି, ଏସଜିଏସଟି ୩୭,୬୨୩ କୋଟି, ଆଇଜିଏସଟି ୮୫,୯୩୦ କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ ୪୧,୨୩୯ କୋଟି ଟଙ୍କା) ଏବଂ ସେସ ୧୧,୭୭୯ କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ ୮୪୦ କୋଟି ଟଙ୍କା ଅନ୍ତର୍ଭୁକ୍ତ କରି) ଟଙ୍କା ଥିଲା।

ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଜୁଲାଇ ମାସରେ ଜିଏସଟି ରାଜସ୍ବ ଗତ ବର୍ଷ ସମାନ ମାସ ତୁଳନାରେ ୧୧ ପ୍ରତିଶତ ଅଧିକ ରହିଛି। ଜୁଲାଇ ମାସରେ ଘରୋଇ କାରବାରରୁ (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ଆୟ ଗତ ବର୍ଷ ସମାନ ମାସରେ ଏହି ଉତ୍ସରୁ ଆୟଠାରୁ ୧୫ ପ୍ରତିଶତ ଅଧିକ ଥିଲା। ମନ୍ତ୍ରଣାଳୟ କହିଛି ଏହା ହେଉଛି ପଞ୍ଚମ ଥର ଯେତେବେଳେ ମୋଟ ଜିଏସଟି ସଂଗ୍ରହ ୧.୬୦ ଲକ୍ଷ କୋଟି ମାର୍କ ଅତିକ୍ରମ କରିଛି। ଜୁନ ମାସରେ ଜିଏସଟି ସଂଗ୍ରହ ୧,୬୧,୪୯୭ କୋଟି ଟଙ୍କା ଥିଲା।

 

Share