Categories: ବାଣିଜ୍ୟ

୧.୧୭ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ,୨।୧୦ ଚଳିତ ବର୍ଷ ସେପ୍ଟେମ୍ବରରେ ୧.୧୭ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ କରାଯାଇଛି। ଏହା ଗତ ୫ ମାସର ସର୍ବାଧିକ ପରୋକ୍ଷ ଟିକସ ଆଦାୟ। ସେହିଭଳି ଗତ ବର୍ଷ ସେପ୍ଟେମ୍ବର ତୁଳନାରେ ଏହି ଆଦାୟ ୨୩% ଉର୍ଦ୍ଧ୍ୱରେ ରହିଛି। ଲଗାତାର ତୃତୀୟ ମାସ ଲାଗି ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟଙ୍କା ସ୍ତର ଟପୁଥିବା ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି। ମୋଟ ଜିଏସ୍‌ ଟି ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି(ସିଜିଏସ୍‌ଟି) ୨୦,୫୭୮ କୋଟି ଟଙ୍କା ରହିଛି। ସେହିଭଳି ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି)୨୬,୭୬୭ କୋଟି ଏବଂ ସମନ୍ବିତ ଜିଏସ୍‌ଟି ବାବଦ ଆଦାୟ ୬୦,୯୧୧ କୋଟି ଟଙ୍କା ରହିଛି। ଏହା ମଧ୍ୟରେ ଆମଦାନୀ ଟିକସ ବାବଦ ଆଦାୟ ୨୯,୫୫୫ କୋଟି ଏବଂ ସେସ୍‌ ବାବଦ ୮୭୫୪ କୋଟି ଟଙ୍କା ସାମିଲ ଥିବା ଜଣାପଡ଼ିଛି।
ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ହାରାହାରି ମାସିକ ଜିଏସ୍‌ଟି ଆଦାୟ ୧.୧୫ ଲକ୍ଷ କୋଟି ଟଙ୍କା ରହୁଛି। ଏହା ପୂର୍ବ ତ୍ରୈମାସ ତୁଳନାରେ ପ୍ରାୟ ୫% ଅଧିକ ରହିଛି। ପ୍ରଥମ ତ୍ରୈମାସରେ ହାରାହାରି ମାସିକ ଟିକସ ଆଦାୟ ୧.୧୦ ଲକ୍ଷ କୋଟି ଟଙ୍କା ରହିଥିଲା। ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ସୁଧାର ପଥକୁ ଫେରୁଥିବା ଟିକସ ଆଦାୟରୁ ଅନୁମାନ ଲଗାଇହେବ। ଘରୋଇ ବଜାରରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ୁଥିବା ବେଳେ ଜିଏସ୍‌ଟି ଚୋରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ଟିକସ ଆଦାୟରେ ଉନ୍ନତି ଆସୁଥିବା ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।
ଦ୍ୱିତୀୟ ଭାଗରେ ମଧ୍ୟ ଟିକସ ଆଦାୟ ଉନ୍ନତ ହେବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଅଗଷ୍ଟ ଏବଂ ଜୁଲାଇ ମାସରେ ଜିଏସ୍‌ଟି ଆଦାୟ ଯଥାକ୍ରମେ ୧.୧୨ ଲକ୍ଷ କୋଟି ଏବଂ ୧.୧୬ ଲକ୍ଷ କୋଟି ଟଙ୍କା ରହିଥିଲା। ସେପ୍ଟେମ୍ବରରେ ସାମଗ୍ରୀ ଆମଦାନୀରୁ ଟିକସ ଆଦାୟ ୩୦% ଉର୍ଦ୍ଧ୍ୱରେ ରହିଛି।

Share