Categories: ବାଣିଜ୍ୟ

ଅକ୍ଟୋବରରେ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ, ଓଡ଼ିଶାର ଚତୁର୍ଥ ସର୍ବାଧିକ ସର୍ବକାଳୀନ ସଂଗ୍ରହ

ନୂଆଦିଲ୍ଲୀ,୨।୧୧: ୨୦୨୩ ଅକ୍ଟୋବରରେ ଦେଶରେ ମୋଟ ଜିଏସ୍‌ଟି ଆଦାୟ ୧,୭୨,୦୦୩ କୋଟି ଟଙ୍କା ରହିଛି। ସେଥିମଧ୍ୟରୁ ୩୨,୦୬୨ କୋଟି ଟଙ୍କା ସିଜିଏସ୍‌ଟି, ୩୮,୧୭୧ କୋଟି ଟଙ୍କା ଏସ୍‌ଜିଏସ୍‌ଟି, ୯୧,୩୧୫ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୪୨,୧୭୭ କୋଟି ଟଙ୍କାକୁ ଅନ୍ତର୍ଭୁକ୍ତ କରି ) ହୋଇଛି ଆଇଜିଟିଏସ୍‌ଟି ଏବଂ ୧୨,୪୫୬ କୋଟି ଟଙ୍କା (ସାମଗ୍ରୀ ଆମଦାନୀ ଉପରେ ଆଦାୟ ହୋଇଥିବା ୧,୬୯୪ କୋଟି ଟଙ୍କାକୁ ଅନ୍ତର୍ଭୁକ୍ତ କରି) ସେସ୍‌ ରହିଛି।
ଆଇଜିଏସ୍‌ଟିରୁ ସରକାର ସିଜିଏସ୍‌ଟିକୁ ୪୨,୮୭୩ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟିକୁ ୩୬,୬୧୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୨୦୨୩ ଅକ୍ଟୋବରରେ କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ବ ସିଜିଏସ୍‌ଟି ପାଇଁ ୨୨,୯୩୪ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟି ପାଇଁ ୭୪,୨୮୫ କୋଟି ଟଙ୍କା ରହିଛି । ୨୦୨୩ ଅକ୍ଟୋବରର ମୋଟ ଜିଏସ୍‌ଟି ରାଜସ୍ବ ଗତ ବର୍ଷ ସମାନ ମାସ ତୁଳନାରେ ୧୩ ପ୍ରତିଶତ ଅଧିକ । ଏହି ମାସରେ ଘରୋଇ କାରବାରରୁ ସଂଗୃହୀତ ରାଜସ୍ବ ମଧ୍ୟ ଗତ ବର୍ଷ ସମାନ ମାସରେ ଏହି ଉତ୍ସରୁ ସଂଗ୍ରହ ହୋଇଥିବା ରାଜସ୍ବ ତୁଳନାରେ ୧୩ ପ୍ରତିଶତ ଅଧିକ । ୨୦୨୩ – ୨୪ ଆର୍ଥିକ ବର୍ଷରେ ହାରାହାରି ମୋଟ ମାସିକ ଜିଏସ୍‌ଟି ସଂଗ୍ରହ ବର୍ତ୍ତମାନ ୧.୬୬ ଲକ୍ଷ କୋଟି ଟଙ୍କା ରହିଛି ଏବଂ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧୧ ପ୍ରତିଶତ ଅଧିକ ରହିଛି।

୨୦୨୩ ଅକ୍ଟୋବରରେ ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ଫଇସଲା ବାବଦକୁ ଓଡ଼ିଶା ୧୮୫୩,୯୮କୋଟି ଟଙ୍କା ଆଦାୟକରି ଚତୁର୍ଥ ସର୍ବାଧିକ ସର୍ବକାଳୀନ ସଂଗ୍ରହ ରାଶି ହାସଲ କରିଛି । ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ଫଇସଲା କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ମାସିକ ହାରାହାରି ଟିକସ ସଂଗ୍ରହ ୧୭୪୪,୩୦ କୋଟି ଟଙ୍କା ରହିଥିବାବେଳେ ଗତ ଆର୍ଥିକ ବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ଏହି ରାଶି ୧୪୭୫.୬୧ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୮-୨୧ ପ୍ରତିଶତ । ଏଥିମଧ୍ୟରୁ ୨୦୨୩ ଅକ୍ଟୋବରରେ ରାଜ୍ୟ ଜିଏସ୍‌ଟି ସଂଗ୍ରହ ୧୩୦୬,୪୭ କୋଟି ଟଙ୍କା ରହିଥିବାବେଳେ ୨୦୨୨ ଅକ୍ଟୋବରରେ ୧୦୫୮,୩୮ କୋଟି ଟଙ୍କା ଥିଲା। ଫଳରେ ଏ କ୍ଷେତ୍ରରେ ୨୩.୪୩ ପ୍ରତିଶତ ଅଭିବୃଦ୍ଧି ଘଟିଛି । ରାଜ୍ୟ ବାଣିଜ୍ୟକର ବିଭାଗ ଦ୍ବାରା ପରିଚାଳିତ ହେଉଥିବା ଜିଏସ୍‌ଟି, ଭାଟ୍‌ ପ୍ରବେଶ ଶୁଳ୍କ ଓ ବୃଦ୍ଧିଗତ ଟିକସ ଏବଂ ରାଜ୍ୟ ଜିଏସ୍‌ଟି ଓ ସମନ୍ବିତ ଜିଏସ୍‌ଟି ଅଧୀନରେ ୨୦୨୩ ଅକ୍ଟୋବରରେ ୨୮୩୧,୧୭ କୋଟି ଟଙ୍କା ସଂଗୃହୀତ ହୋଇଛି । ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ଟିକସ ବ୍ୟବସ୍ଥା ଅଧୀନରେ ମାସିକ ହାରାହାରି ଟିକସ ସଂଗ୍ରହ ୨୬୭୭,୯୮ କୋଟି ଟଙ୍କା ରହିଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଟିକସ ସଂଗ୍ରହ ୨୩୭୪:୪୯ କୋଟି ଟଙ୍କା ଥିଲା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୨-୭୮ ପ୍ରତିଶତ ରହିଛି।
ମୋଟ ଜିଏସ୍‌ଟି ବାବଦକୁ ଚଳିତ ବର୍ଷ ଅକ୍ଟୋବରରେ ୪୧୭୬,୯୪ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ଗତ ବର୍ଷ ଅକ୍ଟୋବରରେ ଏହା ଥିଲା ୩୭୬୯,୪୪ କୋଟି ଟଙ୍କା । ଫଳରେ ଏହି ସଂଗ୍ରହରେ ୧୦. ୮୧ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

Share