Categories: ବାଣିଜ୍ୟ

ଜୁଲାଇରେ ୧.୬୫ ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୮(ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଚତୁର୍ଥ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ମଙ୍ଗଳବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷର ଜୁଲାଇରେ ଦେଶର ଜିଏସ୍‌ଟି ସଂଗ୍ରହ ୧.୬୫ (୧,୬୫,୧୦୫) ଲକ୍ଷ କୋଟି ଟଙ୍କାରୁ ଅଧିକ ଟିକସ ଆକାରରେ ସଂଗ୍ରହ କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ସଂଗ୍ରହ ହୋଇଥିବା ଟିକସ ପରିମାଣଠାରୁ ୨୦୨୩-୨୪ ଜୁଲାଇରେ ସଂଗୃହୀତ ଟିକସ ପରିମାଣ ୧୧% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କ୍ରମାଗତ ୧୭ମାସ ପାଇଁ ଦେଶର ଜିଏସ୍‌ଟି ସଂଗ୍ରହ ୧.୪ଲକ୍ଷ କୋଟିରୁ ଅଧିକ ରହିଥିବାବେଳେ ୮ମ ଥର ପାଇଁ ୧.୫ଲକ୍ଷ କୋଟିରୁ ଅଧିକ ପରିମାଣର ଟିକସ ଆଦାୟ କରାଯାଇଛି। ସେହିଭଳି ୫ମ ଥର ପାଇଁ ଦେଶର ଜିଏସ୍‌ଟି ସଂଗ୍ରହ ୧.୬ ଲକ୍ଷ କୋଟି ଟଙ୍କା ଉପରେ ରହିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ୨୦୨୩ ଜୁଲାଇରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ବ ୧,୬୫,୧୦୫ ଲକ୍ଷ କୋଟି ରହିଥିବା ବେଳେ ସେଥିମଧ୍ୟରୁ କେନ୍ଦ୍ରୀୟ ଟିକସ (ସିଜିଏସ୍‌ଟି) ୨୯,୭୭୩ କୋଟି ଟଙ୍କା ରହିଥିଲାବେଳେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ୩୭,୬୨୩ କୋଟି ଟଙ୍କା ରହିଛି। ସେହିଭଳି ଆଇଜିଏସ୍‌ଟି ବାବଦରେ ୮୫,୯୩୦ କୋଟି (ସାମଗ୍ରୀ ଆମଦାନୀରେ ୪୧,୨୩୯ କୋଟି ଟଙ୍କା ଅନ୍ତର୍ଭୁକ୍ତ) ଏବଂ ସେସ୍‌ ବାବଦରେ ୧୧,୭୭୯ ଟଙ୍କା କୋଟି (ସାମଗ୍ରୀ ଆମଦାନୀ ଉପରେ ୮୪୦ କୋଟି ଟଙ୍କା ସାମିଲ) ର ଟିକସ ଆଦାୟ କରାଯାଇଛି। ସେହିପରି ସରକାର ସିଜିଏସ୍‌ଟି ବାବଦରେ ୩୯,୭୮୫ କୋଟି ଟଙ୍କା ଏବଂ ଆଇଜିଏସ୍‌ଟିରୁ ଏସ୍‌ଜିଏସ୍‌ଟି ବାବଦରେ ୩୩,୧୮୮ କୋଟି ଟଙ୍କା ପରିଶୋଧ କରିଛନ୍ତି। ଅପରପକ୍ଷରେ ଓଡ଼ିଶାରୁ ଚଳିତ ଆର୍ଥିକ ବର୍ଷର ୪ର୍ଥ ମାସରେ ୪୨୪୫ (୪୨୪୫.୪୦) କୋଟି ଟଙ୍କାରୁ ଅଧିକ ଟିକସ ସଂଗ୍ରହ କରାଯାଇଛି। ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଟିକସ ପରିମାଣ ପ୍ରାୟ ୩୬୫୨(୩୬୫୧.୬୧) କୋଟି ଟଙ୍କାରୁ ଅଧିକ ରହିଥିଲା, ଯାହା ଚଳିତ ଆର୍ଥକ ବର୍ଷର ଜୁଲାଇ ଅବଧିରେ ୧୬% ବୃଦ୍ଧି ପାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Share