ରାଜ୍ୟକୁ ମିଳୁନି ଜିଏସ୍‌ଟି କ୍ଷତିପୂରଣ

ଭୁବନେଶ୍ୱର,୨୮ା୭(ବ୍ୟୁରୋ):ରାଜ୍ୟକୁ ମିଳୁନି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବକେୟା। କେନ୍ଦ୍ରର ଏନ୍‌ଡିଏ ସରକାର ୨୦୧୭ ଜୁଲାଇ ପହିଲାରୁ ସମସ୍ତ ଟିକସ ଉଚ୍ଛେଦ କରି ସମଗ୍ର ଦେଶରେ ଜିଏସ୍‌ଟି ଲାଗୁ କରିଥିଲେ। ଏହା ଲାଗୁ ହେବା ପରେ ଯଦି ଟିକସ ଅଭିବୃଦ୍ଧି ୧୪ ପ୍ରତିଶତ ନ ହେବ ତେବେ ୨୦୧୪-୧୫ ଆର୍ଥିକ ବର୍ଷକୁ ମୂଳ ବର୍ଷ(ବେସ୍‌ ଇୟର) ଭାବେ ଧରି ପ୍ରତି ୩ ମାସରେ ଆଗାମୀ ୫ ବର୍ଷ ଲାଗି କେନ୍ଦ୍ର ସରକାର ରାଜ୍ୟର ଜିଏସ୍‌ଟି ବାବଦ କ୍ଷତି ଭରଣା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଜିଏସ୍‌ଟି ଲାଗୁ ହେବାର ୪ ବର୍ଷ ବିତିଯିବାକୁ ବସିଥିବା ବେଳେ କେନ୍ଦ୍ର ସରକାର ଓଡ଼ିଶାର ଜିଏସ୍‌ଟି ବକେୟା ୨,୭୩୮ କୋଟି ଦେଇନାହାନ୍ତି। ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୩୪୯ କୋଟି ଟଙ୍କାର ଜିଏସ୍‌ଟି ବକେୟା ରହିଛି। ୨୦୧୭ରୁ ୨୦୧୯-୨୦ ଯାଏ ଓଡ଼ିଶା ସମେତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଜିଏସ୍‌ଟି କ୍ଷତିପୂରଣ ବକେୟା ପ୍ରଦାନ କରାଯାଇଛି। ଓଡ଼ିଶାକୁ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ବାବଦରେ ୧୪,୦୭୭ କୋଟି ଟଙ୍କା ପ୍ରଦାନ କରିଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କେନ୍ଦ୍ର ସରକାର ୨୦୧୭-୧୮ରେ ଜିଏସ୍‌ଟି କ୍ଷତିପୂରଣ ୨,୩୪୮ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ୨୦୧୮-୧୯ରେ ୪,୨୪୧ କୋଟି ଜିଏସ୍‌ଟି କ୍ଷତିପୂରଣ ବାବଦରେ ପ୍ରଦାନ କରିଛନ୍ତି। ସେହିପରି ୨୦୧୯-୨୦ରେ ୫,୩୩୨ କୋଟି ପ୍ରଦାନ କରିଛନ୍ତି। କୋଭିଡ୍‌-୧୯ ମହାମାରୀ ପାଇଁ ୨୦୨୦-୨୧ରେ ୨,୧୫୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ କୌଣସି ସହାୟତା ପ୍ରଦାନ କରାଯାଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଆର୍ଥତ୍କ ସ୍ଥିତି ଉପରେ ମହାମାରୀର ପ୍ରଭାବ ପଡିଛି। କମ୍‌ ଜିଏସ୍‌ଟି ଆଦାୟ ହେଉଥିବାରୁ ଅଧିକ କ୍ଷତିପୂରଣ ଚାପ କେନ୍ଦ୍ର ଉପରେ ପଡୁଛି। ୨୦୨୦ରୁ ୨୦୨୧ ମଧ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୯୧ ହଜାର କୋଟି ଟଙ୍କା ଆଂଶିକ କ୍ଷତିପୂରଣ ରାଶି ବାବଦରେ ପ୍ରଦାନ କରାଯାଇଛି। ଏହା ଜିଏସ୍‌ଟି କ୍ଷତି ଭରଣାରେ ପର୍ଯ୍ୟାପ୍ତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଜିଏସ୍‌ଟି ପରିଷଦ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୧.୧ ଲକ୍ଷ କୋଟି ଟଙ୍କା ଋଣ କରିଛନ୍ତି। ଜିଏସ୍‌ଟି କ୍ଷତି ଭରଣା ପାଇଁ ଏହାକୁ ରାଜ୍ୟଗୁଡ଼ିକୁ ଋଣ ଆକାରରେ ପ୍ରଦାନ କରାଯିବ। ଏଥିସହିତ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଋଣ ଦେବା ସକାଶେ ଚଳିତ ଆର୍ଥିକ ବର୍ଷରେ ଖୋଲା ବଜାରରୁ ୧.୫୯ ଲକ୍ଷ କୋଟି ଟଙ୍କା ଋଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Share