ନୂଆଦିଲ୍ଲୀ,୨୬।୬: ଜିଏସ୍ଟି କାଉନ୍ସିଲ ବୈଠକ ପୂର୍ବରୁ ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ଉପରେ କ୍ଷତିପୂରଣ ସେସ୍ ଲଗାଇବା ସମୟସୀମାକୁ ପ୍ରାୟ ୪ ବର୍ଷ ବୃଦ୍ଧିକରି ୩୧ ମାର୍ଚ୍ଚ ୨୦୨୬ କରିଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଚଳିତ ବର୍ଷ ଜୁଲାଇ ୧ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଜିଏସ୍ଟି କ୍ଷତିପୂରଣ ସେସ୍ ଲଗାଇବା ଜାରି ରହିବ। ସୂଚନାଯୋଗ୍ୟ, ପୂର୍ବରୁ ଏହାର ସମୟସୀମା ଚଳିତ ମାସ ୩୦ ତାରିଖରେ ଶେଷ ହେବାକୁ ରହିଥିଲା। ଆସନ୍ତା ସପ୍ତାହରେ ହେବାକୁ ଥିବା ଜିଏସ୍ଟି କାଉନ୍ସିଲ ବୈଠକରେ ଏହାର ସମୟସୀମା ବଢ଼ାଇବା ନେଇ ନିଷ୍ପତ୍ତି ନିଆଯାଇଛି। କୋଭିଡ୍ ମହାମାରୀ ସମୟରେ ଗତ ୨ବର୍ଷ ପାଇଁ କରିଥିବା ଋଣର ପରିଶୋଧ ଲାଗି ଏହାର ସମୟସୀମାକୁ ବୃଦ୍ଧି କରାଯାଇଛି। ପୂର୍ବ ବର୍ଷ ଅନୁଷ୍ଠିତ ହୋଇଥିବା ଜିଏସ୍ଟି ପରିଷଦର ୪୫ ତମ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ, ରାଜ୍ୟଗୁଡ଼ିକର ବିଭିନ୍ନ କରକୁ ଭାଟ୍ ସହିତ ରାଷ୍ଟ୍ରୀୟ କର ଜିଏସ୍ଟିକୁ ସାମିଲ କରିବାର ପରିଣାମ ସ୍ବରୂପ ରାଜସ୍ବରେ ହ୍ରାସ ଭରଣା କରିବା ବ୍ୟବସ୍ଥାକୁ ୨୦୨୨ରେ ସମାପ୍ତ କରାଯିବ। ଏହି ବିଜ୍ଞପ୍ତି ପରେ ବିଳାସପୂର୍ଣ୍ଣ ଜିନିଷଗୁଡ଼ିକ ଉପରେ ଲଗାଯାଇଥିବା କ୍ଷତିପୂରଣ ସେସ୍ ସମୟସୀମାକୁ ବୃଦ୍ଧି କରାଯାଇ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ କରାଯିବ। ଅନ୍ୟ କିଛି ସାମଗ୍ରୀ ଏବଂ ସେବା ଉପରେ ଜିଏସ୍ଟି କ୍ଷତିପୂରଣକୁ ଏହା ପୂର୍ବରୁ ହିଁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହି ସମୟସୀମା ମଧ୍ୟରେ ରାଜ୍ୟଗୁଡ଼ିକ ଯେଉଁ ଋଣ ନେଇଥିଲେ ତାକୁ ଶୁଝିବାକୁ ହେବ। ଏଥିପାଇଁ ତମାଖୁ, ସିଗାରେଟ୍, ହୁକ୍କା, ହାଇ ଏଣ୍ଡ୍ ମୋଟରସାଇକେଲ, ଏୟାରକ୍ରାଫ୍ଟ ଏବଂ ମୋଟର ଭେହିକିଲ୍ ଉପରେ ସେସ୍ ଲଗାଇବା ଜାରି ରହିବ। ଫଳରେ ଏହିସବୁ ଜିନିଷ କ୍ରୟ କରିବାକୁ ହେଲେ ବର୍ତ୍ତମାନ ଉପଭୋକ୍ତାଙ୍କୁ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ହେବ। ସୂଚନାଯୋଗ୍ୟ, ଆସନ୍ତା ସପ୍ତାହରେ ଚଣ୍ଡିଗଡ଼ଠାରେ ଜିଏସ୍ଟି କାଉନ୍ସିଲର ୪୬ ତମ ବୈଠକ ଅନୁଷ୍ଠିତ ହେବ।