Categories: ଜାତୀୟ

ବ୍ଲାକ୍‌ ଫଙ୍ଗସ୍‌ ଔଷଧ ଟିକସ ମୁକ୍ତ

ନୂଆଦିଲ୍ଲୀ, ୧୨।୬: ବ୍ଲାକ୍‌ ଫଙ୍ଗସ୍‌ ଔଷଧକୁ ସରକାର ଟିକସ ମୁକ୍ତ କରିଛନ୍ତି। ଶନିବାର ଜିଏସ୍‌ଟି କାଉନସିଲ ବୈଠକ ପରେ ରେମ୍‌ଡେସିଭିର ଭଳି କୋଭିଡ୍‌-୧୯ ଔଷଧ ଏବଂ ମେଡିକାଲ ଅକ୍ସିଜେନ୍‌, କନ୍‌ସେଣ୍ଟ୍ରେଟର ଆଦି ହସ୍ପିଟାଲ ସରଞ୍ଜାମ ଉପରେ ସେବା ଓ ଦ୍ରବ୍ୟ ଟିକସ (ଜିଏସ୍‌ଟି) ହ୍ରାସ କରାଯାଇଛି। ତେବେ କୋଭିଡ୍‌ ଟିକା ଉପରେ ଟିକସ ୫ ପ୍ରତିଶତ ଅପରିବର୍ତ୍ତିତ ରହିଛି। ଟିକା ଉପରୁ ଜିଏସ୍‌ଟି କମାଇବା ପାଇଁ ହେଉଥିବା ଦାବିକୁ କାଉନସିଲ୍‌ ଗ୍ରହଣ କରିନାହିଁ। ଏହି ଟିକସ ହ୍ରାସ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ରହିବ। ପରେ ସମୟସୀମା ବଢ଼ାଯାଇପାରେ ବୋଲି କୁହାଯାଇଛି।

ଜିଏସ୍‌ଟି କାଉନସିଲର ନିଷ୍ପତ୍ତି ଅନୁଯାୟୀ ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସାରେ ବ୍ୟବହୃତ ହେଉଥିବା ୨ଟି ଔଷଧ ମନୋକ୍ଲୋନାଲ ଆଣ୍ଟିବଡି ଟୋସିଲିଜୁମାବ୍‌ ଏବଂ ଆମ୍ଫୋଟେରିସିନ୍‌-ବି ଉପରେ ଆଦୌ ଟିକସ ଦେବାକୁ ପଡ଼ିବ ନାହିଁ। କୋଭିଡ୍‌ ଟିକା ଉପରେ ୫ ପ୍ରତିଶତ ଜିଏସ୍‌ଟି କାଏମ ରହିଥିବା ବେଳେ ହ୍ୟାଣ୍ଡ ସାନିଟାଇଜର, ପଲ୍ସ ଅକ୍ସିମିଟର, ବିଆଇପିଏପି ମେଶିନ, ଟେଷ୍ଟିଂ କିଟ୍‌, ଆମ୍ବୁଲାନ୍ସ ଏବଂ ତାପମାତ୍ରା ଯାଞ୍ଚ ଆଦି ୧୮ଟି ଉପକରଣ ଉପରେ ଜିଏସ୍‌ଟି ହାର କମାଇ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, ସରକାର ସମସ୍ତ ଟିକା କିଣି ନାଗରିକମାନଙ୍କୁ ମାଗଣାରେ ଦେଉଥିବାରୁ ୫% ଜିଏସ୍‌ଟିର କୌଣସି ଅତିରିକ୍ତ ବୋଝ ସାଧାରଣ ନାଗରିକଙ୍କ ଉପରେ ପଡ଼ିବ ନାହିଁ।

 

Share