ଜିଏସ୍‌ଟି ଠକେଇ: ଆଉଜଣେ ଗିରଫ

ଭୁବନେଶ୍ୱର,୬।୮(ବ୍ୟୁରୋ): ୬୪୧କୋଟି ଟଙ୍କାର ଜାଲ୍‌ ବିଲ୍‌ ମାଧ୍ୟମରେ ୧୨୫.୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଘଟଣାରେ ରାଜ୍ୟ ଜିଏସ୍‌ଟି ବିଭାଗର ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ଗୁରୁବାର ଆଉଜଣଙ୍କୁ ଗିରଫ କରିଛି। ସେ ହେଲେ ବାରିପଦାର ବସନ୍ତ କୁମାର ପଟ୍ଟନାୟକ। ଏହି ମାମଲାରେ ଗତମାସ ୧୬ ତାରିଖରେ ଦୁଇ ଅଭିଯୁକ୍ତ ସୁଜୟ ମଇତ୍ର ଓ ଗୁରୁଦିତ ଡାଙ୍ଗଙ୍କୁ ଗିରଫ କରାଯାଇଥିବାବେଳେ ବସନ୍ତ ଫେରାର ଥିଲେ। ଏନ୍‌ଫୋର୍ସମେଣ୍ଟ ଟିମ୍‌ ତାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଗୁରୁବାର ସେ ବାରିପଦାରୁ ଭୁବନେଶ୍ୱର ଆସିଥିଲେ। କଟକ ରୋଡ୍‌ରେ ଥିବା ଏକ ଗୋଦାମରୁ ତାଙ୍କୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ କାବୁ କରିଥିଲା। ପୂର୍ବରୁ ମଧ୍ୟ ବସନ୍ତ ଜାଲ୍‌ କାରବାରରେ ଗିରଫ ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗିରଫ ୩ ଅଭିଯୁକ୍ତ ଅନ୍ୟ ସହଯୋଗୀଙ୍କ ସହ ମିଶି ଅନୁଗୋଳ, ରାଉରକେଲା, ବଣାଇ, ଏରସମା, ତିର୍ତ୍ତୋଲ, ରିଆମାଳ ଓ ସୁନ୍ଦରଗଡ଼ ଆଦି ଅଞ୍ଚଳରେ ୧୬ରୁ ଊର୍ଦ୍ଧ୍ୱ ଜାଲ କମ୍ପାନୀ ଖୋଲିଥିଲେ। ପାଣିକୋଇଲି, ରାସଗୋବିନ୍ଦପୁର, ବରଗଡ଼, ପୁରୀ ଓ ବାଲେଶ୍ୱର ଅଞ୍ଚଳର ପାଣିମିସ୍ତ୍ରି, ଡ୍ରାଇଭର, ପାନ ଦୋକାନୀ, ଗ୍ୟାସ୍‌ ଯୋଗାଉଥିବା ଲୋକ, ଘରୋଇ ମହିଳା, ବେକାର ଯୁବକଙ୍କୁ କମ୍ପାନୀରେ ଚାକିରି ଦେବାକୁ କହି ସେମାନଙ୍କ ପରିଚୟ ପତ୍ର ଓ ବ୍ୟାଙ୍କ ତଥ୍ୟ ହାସଲ କରିଥିଲେ। ପରେ ସେମାନଙ୍କ ନାମରେ ଏହି ଜାଲ୍‌ କମ୍ପାନୀ ଖୋଲି ଷ୍ଟିଲ୍‌ ଓ ଲୁହା କାରବାର ହେଉଥିବା ଦର୍ଶାଇ ଜାଲ୍‌ କିଣାବିକା ବିଲ୍‌ ପ୍ରସ୍ତୁତ କରି ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ (ଆଇଟିସି) ହାତେଇଥିଲେ। ଏମିତିକି କମ୍ପାନୀ ଚାଲୁଥିବା ଘରଭଡ଼ା ଚୁକ୍ତି ମଧ୍ୟ ଜାଲ୍‌ ଥିଲା।

Share