Categories: ବାଣିଜ୍ୟ

ଅନଲାଇନ୍ ପେମେଣ୍ଟରେ ଲାଗିବ କି ଜିଏସଟି ?

ନୂଆଦିଲ୍ଲୀ,୯।୯: ସୋମବାର ବସିଥିବା ଜିଏସଟି ପରିଷଦ ବୈଠକରେ ଅନଲାଇନ୍ ପେମେଣ୍ଟ ଉପରେ ଜିଏସଟି ; ନାହିଁ ଏହା ଉପରେ ବଡ ନିଷ୍ପତ୍ତି ନିଆଯାଇଛି। ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ମାଧ୍ୟମରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ ଅନଲାଇନ୍ କାରବାର ପାଇଁ ବିଲ୍ ଡେସ୍କ ଏବଂ ସିସିଏଭେନ୍ୟୁ ପରି ପେମେଣ୍ଟ ଏଗ୍ରିଗେଟର ଉପରେ ୧୮% ଜିଏସଟି ଲାଗୁ ହେବାର ଘୋଷଣା ଉପରେ ଆଲୋଚନା ହୋଇଥିଲା। କିନ୍ତୁ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ଏବଂ ବର୍ତ୍ତମାନ ଫିଟମେଣ୍ଟ କମିଟିକୁ ପଠାଯାଇଛି। ଅର୍ଥାତ ବର୍ତମାନ ପାଇଁ ଏଗ୍ରିଗେଟର ମାନଙ୍କୁ ୨ ହଜାର ଟଙ୍କାରୁ କମ୍ ନେଣଦେଣ ଉପରେ କୌଣସି କର ଦେବାକୁ ପଡିବ ନାହିଁ।

ତେବେ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ କିଛି କ୍ୟାନ୍ସର ଔଷଧ ଉପରୁ ଜିଏସଟି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ନଭେମ୍ବରରେ ହେବାକୁ ଥିବା ଆସନ୍ତା ବୈଠକରେ ସ୍ୱାସ୍ଥ୍ୟ ବୀମା ହାର ହ୍ରାସ କରିବାକୁ ପରିଷଦ ନିଷ୍ପତ୍ତି ନେବ। ସୋମବାର ଜିଏସଟି ପରିଷଦର ୫୪ ତମ ବୈଠକରେ ଅଧ୍ୟକ୍ଷତା କରିଥିବା ସୀତାରମଣ କହିଛନ୍ତି ଯେ କେତେକ କର୍କଟ ଔଷଧ ଉପରେ ଜିଏସଟି ହାର ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ସେହିପରି ପରିଷଦ ନମକିନ୍ ହାରକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରିଛି ବୋଲି ସେ କହିଛନ୍ତି। ସେହିଭଳି ତୀର୍ଥଯାତ୍ରା ଉପରେ ଜିଏସଟି ହ୍ରାସ କରି ୫% କରିଦିଆଯାଇଥିବା ମଧ୍ୟ ସୂଚନା ମିଳିଛି।

ଅର୍ଥମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଗତ ୬ ମାସ ମଧ୍ୟରେ ଅନଲାଇନ୍ ଗେମ୍ ରୁ ରାଜସ୍ୱ ୪୧୨ ପ୍ରତିଶତ ବୃଦ୍ଧି ପାଇଛି। ରେଟ୍ ରାସନାଇଜେସନ୍ ଉପରେ ଗ୍ରୁପ୍ ଅଫ୍ ମିନିଷ୍ଟର୍ସ ଏବଂ ରିଏଲ୍ ଇଷ୍ଟେଟ୍ ଉପରେ ଆଜି ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ଅନଲାଇନ୍ ଗେମିଂ ଏବଂ କାସିନୋ ଉପରେ ସ୍ଥିତି ଦାଖଲ କରାଯାଇଛି। ଅନଲାଇନ୍ ଗେମିଂରୁ ଆୟ ୪୧୨ ପ୍ରତିଶତ ବୃଦ୍ଧି ପାଇ ୬,୯୦୯ କୋଟି ଟଙ୍କା ହୋଇଛି।

 

Share