କୃଷିକ୍ଷେତ୍ରରେ ପଶ୍ଚିମ ଓଡ଼ିଶା ଯେଭଳି ସାରା ରାଜ୍ୟରେ ପରିଚିତ, ଅନୁରୂପ ଭାବେ ହସ୍ତତନ୍ତ ବାନ୍ଧକଳା ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ଆଣି ପାରିଛି। କୃଷି ପରେ ହସ୍ତତନ୍ତ ବାନ୍ଧକଳା ହିଁ ଏ ଅଞ୍ଚଳର ପ୍ରମୁଖ କୌଳିକ ବୃତ୍ତି। ଅଞ୍ଚଳର ବାନ୍ଧକଳା କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ରାଜ୍ୟ ପାଇଁ ଗୌରବ ଆଣିପାରିଛି। ମାତ୍ର ଯାହାଙ୍କ ବାନ୍ଧକଳା ଯୋଗୁ ରାଜ୍ୟ ଆଜି ଗର୍ବିତ, ସେହି ବୁଣାକାରଙ୍କ ଜୀବନ ଏବେ ସୂତାଖିଅରେ ରହିଛି। ସରକାରୀସ୍ତରରେ ବିଭିନ୍ନ ସମୟରେ ପ୍ରୋତ୍ସାହନ ଦିଆଯାଉଛି ସତ, କିନ୍ତୁ ତାହା ଆଶାଜନକ ନୁହେଁ। ଅନ୍ୟପଟେ ସୂତାଠାରୁ ଆରମ୍ଭ କରି ବୁଣାକାରଙ୍କ ତିଆରି ଶାଢ଼ି ଆଦି କପଡ଼ାରେ ଜିଏସ୍ଟି ଲାଗୁ ହେବା ବୁଣାକାରଙ୍କୁ ହତୋତ୍ସାହିତ କରିଛି ।
ଜିଏସ୍ଟି ଯୋଗୁ ରିହାତି ମୂଲ୍ୟହୀନ
ରାଜ୍ୟ ସରକାର ସୂତାରେ ୧୦ପ୍ରତିଶତ ରିହାତି ଦେଉଛନ୍ତି। ସେହିପରି ଏଥିରେ କେନ୍ଦ୍ର ସରକାରଙ୍କ ୧୫ପ୍ରତିଶତ ରିହାତି ରହିଛି। ଅନ୍ୟପଟେ ସୂତାଠାରୁ କପଡ଼ା ପର୍ଯ୍ୟନ୍ତ ୫ପ୍ରତିଶତ ଜିଏସ୍ଟି ବୁଣାକାରଙ୍କୁ ଦେବାକୁ ପଡ଼ୁଛି। ଏଭଳିସ୍ଥଳେ ସରକାର ଦେଉଥିବା ରିହାତି ମୂଲ୍ୟହୀନ ହୋଇ ପଡ଼ିଛି। ଫଳରେ ସୂତା ଉପରେ ରାଜ୍ୟ ସରକାର ୨୦ପ୍ରତିଶତ ରିହାତି ଦେବାକୁ ଦାବି କରିଆସୁଛୁ। ଏହାସହିତ ବୁଣାକାରଙ୍କ ଉପରୁ ଜିଏସ୍ଟି ଉଚ୍ଛେଦ ପାଇଁ ଉଭୟ କେନ୍ଦ୍ର, ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛୁ। ହେଲେ କିଛି ସୁଫଳ ମିଳିନାହିଁ। ଅନ୍ୟପଟେ ଦିନକୁ ଦିନ ବୁଣାକାରଙ୍କୁ କ୍ଷତି ସହିବାକୁ ପଡ଼ୁଛି। ସେହିପରି ଜିଏସ୍ଟି ଯୋଗୁ ଗ୍ରାହକଙ୍କ ଉପରେ ମଧ୍ୟ ବୋଝ ପଡ଼ୁଛି।
-ସସ୍ମିତା ମେହେର, ବାନ୍ଧଶିଳ୍ପୀ
ବୁଣାକାରଙ୍କ ଉପରେ ଚଡ଼କ
ଦେଶ ସ୍ବାଧୀନତା ହାସଲ କରିବା ପରେ ପ୍ରଥମଥର ପାଇଁ ହସ୍ତତନ୍ତ ଉପରେ ଜିଏସ୍ଟି ଲାଗୁ ହୋଇଛି। ହସ୍ତତନ୍ତ ଅଦ୍ୱିତୀୟ ହସ୍ତକଳା ଭାବେ ବିଶ୍ୱ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ଲାଭ କରିଛି। ସମ୍ବଲପୁରୀ ବସ୍ତ୍ରର ପଶାପଲ୍ଲୀ ହେଉକି ବାନ୍ଧ ଡିଜାଇନ କେବଳ ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ ଦ୍ୱାରା ତିଆରି ହୋଇଆସୁଛି। ସରକାରୀ ପ୍ରୋତ୍ସାହନରେ ସ୍ବାବଲମ୍ବୀ ହୋଇପାରିଛୁ ସତ କିନ୍ତୁ ଜିଏସ୍ଟିକୁ ବୁଣାକାରଙ୍କ ଉପରେ ଚଡ଼କ ଭାବେ ଲଦି ଦିଆଯାଇଛି। ଯଦି ଜିଏସ୍ଟି ଲାଗୁ ହେଲା, ଆନୁମାନିକ ଭାବେ ଗତବର୍ଷ ଓଡ଼ିଶାର ବେସରକାରୀ, ସରକାରୀ ସ୍ତରରେ ୫୦୦କୋଟି ଟଙ୍କାର ହସ୍ତତନ୍ତ ଉପରେ ୫ପ୍ରତିଶତ ଜିଏସ୍ଟି ହାରରେ ବୁଣାକାରଙ୍କ ପାଇଁ ସରକାର କେତେ ବଜେଟ୍ ଅନୁମୋଦନ କରିଛନ୍ତି।
ବିଜୟ କୁମାର ମେହେର
କୋ ଅର୍ଡ଼ିନେଟର, ନ୍ୟାଶନାଲ ଫେଡ଼େରେଶନ ଅଫ୍ ହ୍ୟାଣ୍ଡଲୁମ ଆଣ୍ଡ୍ ହ୍ୟାଣ୍ଡିକ୍ରାଫ୍ଟ
(ଉପସ୍ଥାପନା: ପ୍ରେମାନନ୍ଦ ଖମାରୀ,
ବରଗଡ଼ ଅଫିସ୍)