ସୁନା ଦୋକାନରେ ଜିଏସ୍‌ଟି ଭିଜିଲାନ୍ସର ଚଢ଼ାଉ

ରାୟଗଡ଼ା,୧୭।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମା ମୁଖ୍ୟ ବଜାରରେ ଥିବା ଭାରତୀ ସୁନା ଦୋକାନରେ ଶନିବାର ଜିଏସ୍‌ଟି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମିଳିଥିବା ସୂଚନା ମୁତାବକ, ରାଜ୍ୟ ବାଣିଜ୍ୟକର ବିଭାଗ ଅତିରିକ୍ତ କମିଶନର ବୈଶାଗୁ ବାହାଲଙ୍କ ନେତୃତ୍ୱରେ ଏକ ଟିମ୍‌ ପୂର୍ବାହ୍ନରେ ଅଚାନକ ଭାରତୀ ସୁନା ଦୋକାନରେ ଚଢ଼ାଉ କରି ବିଲ୍‌ ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରଛି।
ଡେପୁଟି କମିଶନର ବାହାଲ କହିଛନ୍ତି, ଅଭିଯୋଗକୁ ଭିତ୍ତି କରି ଉପରିସ୍ଥ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏକ ଟିମ୍‌ ସୁନା ଦୋକାନରେ ଚଢ଼ାଉ କରି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଯୋଗକାରୀଙ୍କ ନାମ ସୁରକ୍ଷା ଦୃଷ୍ଟିରୁ ଗୋପନ ରଖାଯାଇଥିବା ସେ କହିଛନ୍ତି।
ଅନ୍ୟପକ୍ଷେ ଭାରତୀ ସୁନା ଦୋକାନୀ ମାଲିକ କେ. ଗୌରୀ ଓ କେ. ସୁନିଲ କୁମାର ଲୋକଙ୍କୁ ନିମ୍ନମାନର ସୁନା ବିକ୍ରି କରି ଠକୁଥିବା ଭୁବନେଶ୍ବରସ୍ଥିତ ମୁଖ୍ୟ ରାଜ୍ୟ ବାଣିଜ୍ୟ କର କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଏହି ଚଢ଼ାଉ ପରେ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ବହୁ ଦିନ ପରେ ରାୟଗଡ଼ା ଜିଲାରେ ଏଭଳି ଚଢ଼ାଉ ହୋଇଥିବା ବେଳେ ଜନସାଧାରଣ ଏହାକୁ ସ୍ବାଗତ କରିଛନ୍ତି।

Share