Categories: ଖେଳ

ପ୍ଲେ-ଅଫ୍‌ରେ ସ୍ଥାନ ନିଶ୍ଚିତ କରିବାକୁ ଓହ୍ଲାଇବ ଗୁଜରାଟ

ମୁମ୍ବାଇ,୩।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ। ପ୍ରଥମ ଥର ଲାଗି ଆଇପିଏଲ୍‌ ଖେଳୁଥିବା ଗୁଜରାଟ ଟିମ୍‌ ପାଇଁ ଏଯାବତର ଯାତ୍ରା ବେଶ ପ୍ରଶଂସନୀୟ। ଦଳ ୯ ମ୍ୟାଚ୍‌ ଖେଳିଥିବା ବେଳେ ୮ଟିରେ ବିଜେତା ହୋଇଛି। ଆଉ ଗୋଟିଏ ମ୍ୟାଚ୍‌ ଜିତିନେଲେ ଦଳ ପ୍ଲେ-ଅଫ୍‌ରେ ସ୍ଥାନ ପାଇଥିବା ପ୍ରଥମ ଟିମ୍‌ ପାଲଟିବ। ତେବେ ଚାପରେ ଥାଇ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ଗୁଜରାଟର ସଫଳତା ପଛର କାରଣ ବୋଲି କୁହାଯାଉଛି।

ଖେଳାଯାଇଥିବା ମ୍ୟାଚ୍‌ ଗୁଡ଼ିକରେ ରାହୁଲ ତଓ୍ବେତିଆ, ଡେଭିଡ୍‌ ମିଲର, ରଶିଦ ଖାନ୍‌ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ଭଲ ଖେଳି ଦଳକୁ ବିଜେତା କରାଇଛନ୍ତି। ଏଣୁ ଗୁଜରାଟ ଆଜିର ମ୍ୟାଚ୍‌କୁ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ସେହିଭଳି ପଞ୍ଜାବ ଟିମ୍‌ ଏଯାବତ ୯ ମ୍ୟାଚ୍‌ରୁ ୫ଟିରେ ପରାଜିତ ହୋଇଛି। ଏଣୁ ଦଳ ଆଉ ଏକ ବିଜୟ ନିଜ ନାମରେ କରିବାକୁ ଚାହିଁବ।

Share