ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି ଆଜିର ଦିନରେ ଅନ୍ୟର ଉପକାର ସାଜିଥାଏ l ଏପରି ସ୍ଥିତିରେ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ସଢା ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କର ଅଙ୍ଗ ଦାନ ପାଇଁ ପରିବାର ଲୋକ ଲିଖିତ ସହମ୍ମତି ପ୍ରଦାନ କରିଥିଲେ।
ଅଙ୍ଗଦାନ ପରେ ଗୁରୁବାର ତାଙ୍କ ମରଶରୀର ନିଜ ଗ୍ରାମରେ ପହଞ୍ଚିଥିଲା। ପ୍ରଶାସନ ପକ୍ଷରୁ ଅଙ୍ଗଦାନ କରିଥିବା ମହିଳାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। କେନ୍ଦୁଝର ଏଡ଼ିଏମ ଲଳିତ ସୋରେନ,ଆନନ୍ଦପୁର ଉପଜିଲାପାଳ ଫାଲ୍ଗୁନୀ ମାଝୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ ବେହେରା, ହାଟଡିହୀ ତହସିଲଦାର ହାବିଲ ଖାଖା, ନନ୍ଦିପଦା ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର, ସୋସୋ ଥାନା ଅଧିକାରୀ ବିଜୟ ବିହାରୀ ପ୍ରମୁଖଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ, ବ୍ଲକ ଅଧକ୍ଷା ସାବିତ୍ରୀ ସେଠୀ, ସାମାଜିକ କର୍ମୀ ଅଭିମନ୍ୟୁ ସେଠୀ,ପୂର୍ବତନ ସରପଞ୍ଚ ଜୟନ୍ତୀ ସାମଲ, ରବୀନ୍ଦ୍ର ନାୟକ, ବିଜୟ ରାଉତ, ବୀରେନ୍ଦ୍ର ବିଶ୍ୱାଳ, ବୈଲୋଚନ ନାୟକ, କାମପାଳ ନାୟକ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଗାର୍ଡ ଅଫ ଅନର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ୭ ଦିନ ପୂର୍ବେ ଗତ ଗୁରୁବାର ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀ ସଂଯୁକ୍ତା (୪୮ ବର୍ଷ) ଶୌଚ ହେବାକୁ ଯାଇଥିବା ବେଳେ ପାଇଖାନା ଘରେ ଗୋଡ଼ ଖସିଯିବାରୁ ତଳେ ପଡି ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ଗତ ମଙ୍ଗଳବାର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକ ମୃତ ମହିଳାଙ୍କ ଅଙ୍ଗଦାନ ନିମନ୍ତେ ନିଷ୍ପତି ନେଇଥିଲେ। ସ୍ବାମୀ ରବୀନ୍ଦ୍ର ତାଙ୍କ ମୃତ ସ୍ତ୍ରୀଙ୍କ ଅଙ୍ଗଦାନ ନିମନ୍ତେ ସେଠାକାର ଡାକ୍ତରଙ୍କୁ ଜଣାଇଥିଲେ। ରବୀନ୍ଦ୍ରଙ୍କ ସହ ଦୁଇ ଝିଅ ଶୁଭଶ୍ରୀ ଏବଂ ଦିବ୍ୟଶ୍ରୀ, ଶଳା ପ୍ରଶାନ୍ତ ମହାପାତ୍ର ସମସ୍ତେ ସମ୍ପୃକ୍ତ ମେଡିକାଲରେ ଲିଖିତ ଆକାରରେ ଅଙ୍ଗଦାନ ନିମନ୍ତେ ସହମ୍ମତି ପ୍ରଦାନ କରିଥିଲେ। ଉପଜିଲାପାଳ ଫାଲ୍ଗୁନୀ ମାଝୀ କହିଛନ୍ତ, ମହିଳା ଜଣଙ୍କ ଅଙ୍ଗଦାନ କରି ମହନୀୟତାର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି।