
ଭୁବନେଶ୍ୱର,୨୮ା୨: ଓଲିଉଡ୍ର ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଶୁକ୍ରବାର ଅପରାହ୍ନରେ ଗାର୍ଡ ଅଫ୍ ଅନର ଦିଆଯାଇଛି। ସତ୍ୟନଗର ଶ୍ମଶାନରେ ଗାର୍ଡ ଅଫ୍ ଅନର ଦିଆଯାଇଛି। ଉତ୍ତମଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଉତ୍ତମଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଥିଲା। ୬୬ ବର୍ଷୀୟ ଉତ୍ତମ କିଛିଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକରେ କେବଳ ଓଲିଉଡ୍ ନୁହେଁ, ଓଡ଼ିଶା ତଥା ଦେଶର ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି।
୧୯୫୮ ଡିସେମ୍ବର ୨୩ରେ ବାରିପଦାରେ ଉତ୍ତମ ମହାନ୍ତିଙ୍କ ଜନ୍ମ। ବାରିପଦାର ଏମ୍କେସି ହାଇସ୍କୁଲରେ ସେ ମାଟ୍ରିକ ପଢ଼ା ଶେଷକରି ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ ଇଣ୍ଟରମିଡିଏଟ୍ ଓ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପାଠପଢ଼ା ବେଳୁ ଅଭିନୟ ପ୍ରତି ଉତ୍ତମଙ୍କର ଅହେତୁକ ଦୁର୍ବଳତା ପରବର୍ତ୍ତୀ ସମୟରେ ତାଙ୍କୁ ମନୋରଞ୍ଜନ ଦୁନିଆରେ ପ୍ରତ୍ୟକ୍ଷ ଅଭିନୟ ପାଇଁ ଟାଣିନେଇଥିଲା। ତେବେ ଉତ୍ତମ ସ୍ନାତକ ଶିକ୍ଷା ପରେ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପଢ଼ିବା ପାଇଁ ଲୁଧିଆନା ଯାଇଥିଲେ। ୧୯୭୭ରେ ଅଭିମାନ ଚଳଚ୍ଚିତ୍ରରେ କ୍ୟାରିୟର ଆରମ୍ଭ କରିଥିବା ଉତ୍ତମ ପରବର୍ତ୍ତୀ ସମୟରେ ୧୫୦ରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ।