ଅଭିଭାବକ

ଡ. ସୁବାସ ଚନ୍ଦ୍ର ପାତ୍ର

 

ସଂଖ୍ୟା ଦୃଷ୍ଟିରୁ ଆଜି ଅଭିଭାବକ ଏକବଚନ ବା ଦ୍ୱିବଚନରେ। ଅର୍ଥାତ୍‌ ଝିଅପୁଅର ମା’ ଓ ବାପା। ଅବଶ୍ୟ ଏକ ସମୟରେ ମା’ବାପା ଏକମାତ୍ର ଅଭିଭାବକ ନ ଥିଲେ । ଏକ ଯୌଥ ପରିବାରର ସମସ୍ତ ବୟୋଜ୍ୟେଷ୍ଠ ଥିଲେ ଅଭିଭାବକ ଏବଂ ପରିବାର ସଦସ୍ୟକୁ ଛାଡ଼ି ଆହୁରି ଅନେକ ଅଭିଭାବକ ଥିଲେ, ଯେଉଁମାନେ ସେମାନଙ୍କ ‘ସାମୟିକ ଅଭିଭାବକତ୍ୱ’ ପାଇଁ ମୂଳ ଅଭିଭାବକମାନଙ୍କୁ କୃତଜ୍ଞ କରି ତୋଳୁଥିଲେ।
ଦୁଃଖର କଥା ଯୌଥ ପରିବାରର ପତନ ପରେ ଏବଂ ଜେଜେ-ଜେଜୀ ଅନ୍ତର୍ହିତ ମାତା-ପିତା କୈନ୍ଦ୍ରିକ ‘ଅଣୁ ପରିବାର’ର ଅଭ୍ୟୁଦୟ ପରଠୁ ଅଭିଭାବକର ସଂଜ୍ଞା, ଚରିତ୍ର, ଅବଦାନ, ଉପଯୋଗିତା ବଦଳି ଯାଇଛି। ଯୁବ ମା’ବାପା ସବୁବେଳେ ସଫଳ ଅଭିଭାବକ ହେବା ସୁନିଶ୍ଚିତ ନୁହେଁ। ବୟସ, ଯୋଗ୍ୟତା, ଦକ୍ଷତା ନେଇ ଅଭିଭାବକତ୍ୱ । ଜେଜେ, ଜେଜେମା’ଙ୍କ ସ୍ନେହଭରା, ଆଘାତ ଶୋଷଣକାରୀ (ସକ୍‌ ଏବଜର୍ବିଙ୍ଗ) ଅଭିଭାବକତ୍ୱ, କକା, ଖୁଡ଼ୀଙ୍କ ପରି ବଡ଼ଭାଇ, ବଡ଼ଭଉଣୀଙ୍କ ଅଭିଭାବକତ୍ୱଠୁ ଭିନ୍ନ ।
ସାନପିଲାଟି ପଢ଼ିଲା ବେଳେ ଏକ ମିଶ୍ର ପ୍ରଭାବ, ମିଶ୍ର ଉପଯୋଗିତାର ଉପଭୋକ୍ତା ହୋଇ ବଢୁଥିଲା।
ଶିକ୍ଷା, ଦୀକ୍ଷା ଦୃଷ୍ଟିରୁ ଏମାନଙ୍କ ଭିତରୁ କେହି ତା’ର ଶିକ୍ଷକର ଭୂମିକା ମଧ୍ୟ ନିର୍ବାହ କରୁଥିଲେ।
ଖାଲି ସେତିକି ନୁହେଁ, ସଦସ୍ୟଙ୍କ ସଂଖ୍ୟାଧିକତା ଦୃଷ୍ଟିରୁ ପିଲାଟି ବିଭିନ୍ନ ବ୍ୟକ୍ତିତ୍ୱ ସଂସ୍ପର୍ଶରେ ଆସି ଭବିଷ୍ୟତରେ ନିଜକୁ ଏକ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱରେ ବିକଶିତ ହେବାକୁ ମୂଳଦୁଆ ଗଠନର ସୁଯୋଗ ପାଉଥିଲା । ଆଜି ନିଜର ଯୁବ ମା’ବାପା ହିଁ ସବୁକିଛି । ଆଉ ଯେଉଁଠି ମା’ବାପାଙ୍କ ଦାମ୍ପତ୍ୟ ଜୀବନ ସୁଖକର ନୁହେଁ ସେଠି ପିଲାଟି ପାଲଟି ଯାଏ ଏକ ଫୁଟବଲ ।
ଏକ ସମୟରେ ଅଭିଭାବକତ୍ୱ ଏକ ସାମାଜିକ ଦାୟିତ୍ୱ ଥିଲା । ଗାଁର ଯେ କୌଣସି ଲୋକ ଚିହ୍ନା ଅଚିହ୍ନା ନିର୍ବିଶେଷରେ ବାଳକ ଅବା ବାଳିକା, କିଶୋର ଅବା କିଶୋରୀଟିଏ ପାଇଁ ଅଭିଭାବକ ପାଲଟି ଯାଉଥିଲେ। ଯେତେବେଳେ ସେ ଅନୁଭବ କରୁଥିଲେ ସେ ମୁହୂର୍ତ୍ତରେ ତାଙ୍କ ଉପଦେଶ ବା ଦୈହିକ ହସ୍ତକ୍ଷେପ ଜରୁରୀ। ପିଲାଏ ହିଂସାତ୍ମକ ଖେଳରେ ମାତିଥିଲା ବେଳେ ବା ପୋଖରୀରେ ଦୀର୍ଘ ସମୟ ଜଳକେଳି କରୁଥିବା ବେଳେ କେହି ଜଣେ ଭିତରେ ପଶିଯାଇ ସେମାନଙ୍କୁ ସେଥିରୁ ବିରତ କରୁଥିଲେ, ଦରକାର ପଡ଼ିଲେ ହସ୍ତକ୍ଷେପକୁ ଅଧିକ ଫଳପ୍ରଦ କରିବାକୁ ଯାଇ ଚାପୁଡ଼ାଟିଏ କଷି ଦେଉଥିଲେ। ଖବର ଘରେ ପହଞ୍ଚିଲେ ଗୃହକର୍ତ୍ତା ଏହାକୁ ସକୃତଜ୍ଞ ଗ୍ରହଣ କରୁଥିଲେ ଏବଂ ସାକ୍ଷାତରେ ହସ୍ତକ୍ଷେପକାରୀଙ୍କୁ ଧନ୍ୟବାଦ ଦେବା ସହ ସେ ପ୍ରକାର ହସ୍ତକ୍ଷେପର ପୁନରାବୃତ୍ତି ପାଇଁ ମଧ୍ୟ ଅନୁରୋଧ କରୁଥିଲେ। ସାମାଜିକ ସଂହତି ଏତେ ନିବିଡ଼ ଥିଲା ଯେ ଅନ୍ୟର ଉପକାର ପାଇଁ ନିଜ, ପର ଭାବିବାକୁ ଅବକାଶ ନ ଥିଲା । ବେଳେବେଳେ ଏହି ଅପ୍ରତ୍ୟାଶିତ ଅଭିଭାବକତ୍ୱ ଦୈବକୃପା ହିସାବରେ କାମ କରୁଥିଲା । ପ୍ରସଙ୍ଗତଃ ମନେପଡ଼େ ସାରସ୍ବତ ସାଧକ ମନୋଜ ଦାସଙ୍କ ସ୍ମୃତିକଥା (ସମୁଦ୍ରକୂଳର ଏକ ଗ୍ରାମ)ର ଘଟଣାଟିଏ । ନିର୍ଜନ ପ୍ରାକ୍‌-ସୂର୍ଯ୍ୟାସ୍ତର ସମୟ । ଆକାଶରେ ସ୍ଫୁରିତ ଇନ୍ଦ୍ରଧନୁର ପ୍ରାନ୍ତଦେଶ ଛୁଇଁବା ପାଇଁ ବାଳକ ମନୋଜର ଅବଦମିତ ଆଗ୍ରହ ।
ଇନ୍ଦ୍ରଧନୁ ବି ଜଣାପଡୁଥିଲା ହାତପାହାନ୍ତାରେ । ବିଲ, ବାଲୁକାମୟ ପ୍ରାନ୍ତର ଅତିକ୍ରମ କରି ଏକ ବିସ୍ତୃତ କେଦାରରେ ଉପନୀତ ହେବାପରେ ଇନ୍ଦ୍ରଧନୁ ଘୁଞ୍ଚି ଯାଇଥାଏ ସମୁଦ୍ର ଭିତରକୁ । ସଞ୍ଚ ନଇଁ ଆସିଲାଣି ।
ବୁଦାମାଳରୁ ବିଲୁଆର ଡାକ। ମନରେ ବିଷାଦ ତଥା ଭୟ। କେଉଁ ରାସ୍ତାରେ ଗଲେ ଘରେ ପହଞ୍ଚିବେ ତା’ ମଧ୍ୟ ଠିକ ଜଣାନାହିଁ। ଆଗରେ ପଡ଼ିଥିବା ରାସ୍ତାରେ ଦୌଡୁ ଦୌଡୁ ସେ ଶୁଣିଲେ ଜଣେ ମହିଳାଙ୍କ ସ୍ବର ।
‘ଗ୍ରାମବ୍ୟାପୀ ସବୁ ଶିଶୁଙ୍କୁ ଆବୋରି ରଖିଥାଏ ଯେଉଁ ସାର୍ବଜନୀନ ମାତୃମମତା, ତାହାରି ସେ କଣ୍ଠସ୍ବର । …ସେ ମୋତେ ସେମିତି କାଖେଇ ଆଣି ଆମ ଘର ବାରଣ୍ଡାରେ ଛାଡ଼ିଦେଇ ଚାଲିଗଲେ। ଧନ୍ୟବାଦ-ପ୍ରତ୍ୟାଶାର ଯୁଗ ସେ ଯାଏ ପଲ୍ଲୀ ଭାରତରେ ଆରମ୍ଭ ହୋଇ ନଥାଏ ।’
ଏବେ ସ୍ଥିତି ବଦଳି ଯାଇଛି। ଏବେ ମଣିଷ ଆତ୍ମକୈନ୍ଦିକ ହେବା ସହ ନିଜର ସମ୍ମାନ, ମର୍ଯ୍ୟାଦା, ଅହଂଭାବ ନେଇ ଏତେ ସଚେତନ ହୋଇଯାଇଛି ଯେ ଅନ୍ୟ କୌଣସି କଥାରେ ମୁଣ୍ଡ ପୂରାଉନାହିଁ । ତା’ଛଡ଼ା ସେ ପ୍ରକାର ସକାରାତ୍ମକ ହସ୍ତକ୍ଷେପ ମଧ୍ୟ ଉପଭୋକ୍ତା ପରିବାର ତରଫରୁ କୃତଜ୍ଞତାର ସହ ସ୍ବାଗତ କରାଯାଉ ନାହିଁ। ଆଗରୁ ଅଭିଭାବକତ୍ୱ ସଚେତନ ଭାବରେ, ଲୋଡ଼ା ଯାଉଥିଲା ଅବା ବିଭିନ୍ନ ବାଗରେ ସାଉଁଟା ଯାଉଥିଲା। ନିଜ ଘରେ ସବୁ ସୁବିଧା ଥିବା ସତ୍ତ୍ୱେ ବାପା, ମା’ ପିଲାକୁ ମାମୁଘରେ ଅବା ମଉସାଘରକୁ ପଠାଇ ଦେଉଥିଲେ ଏଇ ଆଶାରେ ଯେ ପିଲା ମୋର ମଣିଷ ହୋଇ ଫେରିବ । ଠିକ୍‌ ସେହିପରି ଭାବରେ ବିଭିନ୍ନ ସାମାଜିକ ଅବା ସାଂସ୍କୃତିକ କାର୍ଯ୍ୟକ୍ରମ ଯେପରି ମେଳା, ମହୋତ୍ସବ, ପୂଜା, ଯାତ୍ରାକୁ ଅଭିଭାବକମାନେ ପିଲାମାନଙ୍କୁ ନେଇଯାଉଥିଲେ ଏହି ବିଶ୍ୱାସରେ ଯେ ପିଲା ମୋର ‘ବିଭିନ୍ନ କଥା ଦେଖୁ, ଆଉ ଶିଖୁ ।’ ଏବେ ଶିକ୍ଷା ଟ୍ୟୁଶନରେ ସୀମିତ ।
ପାଠ୍ୟ ପୁସ୍ତକ, ଟିଭି, ମୋବାଇଲ ଭଳି ‘ଛାଇ ଦୁନିଆ’ ଛଡ଼ା ଅନ୍ୟ ଦୁନିଆ ସହ ପିଲାମାନଙ୍କ ସମ୍ପର୍କ ନାହିଁ । ଆଜିର ଅଭିଭାବକମାନେ ପିଲାମାନଙ୍କ କ୍ୟାରିୟର ବିଷୟରେ ଏତେ ଉଗ୍ରଭାବରେ ସଚେତନ ଯେ ପିଲାଙ୍କୁ ଏବେ ସବୁକିଛି ମନା। ମେଳାଯିବା ମନା, ସମୁଦ୍ରକୂଳକୁ ଯିବା ମନା ଏପିରି କି ଛାତ ଉପରକୁ ଯାଇ ପୂର୍ଣ୍ଣିମାର ଜହ୍ନ ଦେଖିବା ମନା। କାରଣ କାଲି ପରୀକ୍ଷା ଅଛି ଅବା ଟ୍ୟୁଶନ ସାର୍‌ ଆସିଲେଣି! ଏପରି କି ଜୀବନରକ୍ଷାକାରୀ କୌଶଳ ଯେପରି ପହଁରିବା, ଗଛ ଚଢ଼ିବା, ଦ୍ରୁତଗତିରେ ଦୌଡ଼ିବା-ଏକଥା ମଧ୍ୟ ନିଷିଦ୍ଧ। ଫୁଲଗଛରେ ପାଣିଦେବା, ଫୁଲ ଗହଣରେ ମହୁମାଛି ବା ପ୍ରଜାପତିକୁ ଦେଖିବା, ଘରକାମରେ ସାହାଯ୍ୟ କରିବା ତାହା ମଧ୍ୟ ମା’ବାପା ନିର୍ଦ୍ଧାରିତ ‘ସିଲାବସ’ରେ ନାହିଁ।
ସମସ୍ତ ଅଭିଭାବକତ୍ୱ ପିଲାଛୁଆଙ୍କ ମସ୍ତିଷ୍କର ଉର୍ବରତା ବଢ଼ାଇବାରେ ସୀମିତ। ସେମାନଙ୍କ ଶାରୀରିକ ବିକାଶ, ହୃଦୟର ସମୃଦ୍ଧି ଏବଂ ଚେତନାର ପ୍ରଗତି ପ୍ରତି ଧ୍ୟାନଦେବା ଜଣେ ଅଭିଭାବକର କର୍ତ୍ତବ୍ୟ ବୋଲି ସେମାନେ ଭାବୁନାହାନ୍ତି। ଜଣେ ସମ୍ବେଦନଶୀଳ, ଦରଦୀ, ହୃଦୟବାନ ମଣିଷ ହିଁ ସଫଳ ଅଭିଭାବକ ହୋଇପାରିବ । ମା’ବାପା ଏବଂ ପିଲାଛୁଆ ଉଭୟଙ୍କ ବୟସ ବୃଦ୍ଧି ସହ ଯେହେତୁ ଅଭିିଭାବକତ୍ୱର ଚରିତ୍ର ବଦଳେ, ଉପରୋକ୍ତ ଗୁଣଗୁଡ଼ିକ ପରବର୍ତ୍ତୀ ସମୟରେ ଉପଯୋଗୀ ସାବ୍ୟସ୍ତ ହୁଏ । ବଡ଼କଥା ହେଲା ନିଜର ତଥାକଥିତ ଶପଥ, ଅହଂ, ପଦମର୍ଯ୍ୟାଦାର ବନ୍ଦୀଶାଳାରୁ ମଣିଷ କିପରି ମୁକୁଳି ପାରିବ। ଶପଥ କଥା ଆମକୁ ପିତାମହ ଭୀଷ୍ମଙ୍କର କାହାଣୀ ମନେପକାଇ ଦିଏ, କିପରି ହସ୍ତିନାପୁରର ମଙ୍ଗଳ କରିବାକୁ ନିଜକୁ ଦେଇଥିବା କଥା ରଖିବାକୁ ଯାଇ ସେ ନିଜକୁ ଜଣେ କଏଦୀ କରି ତୋଳିଛନ୍ତି; ଯେଉଁଥିରୁ ବାହାରିବାର ତାଙ୍କର ଅକ୍ଷମତା ସମସ୍ତ ଅନର୍ଥର କାରଣ ପାଲଟିଛି। ସାମାଜିକ ଜୀବନରେ ଆମେ ନିଜ ଚାରିପାଖରେ ନିଜର ତଥାକଥିତ ଆଦର୍ଶର ଚକ୍ରବୂ୍ୟହ ରଚନା କରି ନିଜକୁ ବନ୍ଦୀକରୁ, ଯାହା ପରବର୍ତ୍ତୀ ସମୟରେ ପିତା-ପୁତ୍ର ସମ୍ପର୍କରେ ପ୍ରାଚୀର ଛିଡ଼ା କରାଏ। ପିତାପୁତ୍ର ସମ୍ପର୍କ ହେଉ ଅବା ସାଧାରଣ ସାମାଜିକ ସମ୍ପର୍କ, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ମାନବିକ ସମ୍ପର୍କର ସଂରକ୍ଷଣ ପାଇଁ ଆବଶ୍ୟକ ନିଜ ଅବତଳରୁ ଅନ୍ୟର ଅବତଳକୁ ଆରୋହଣ ବା ଅବରୋହଣ କରିବାର ସାମର୍ଥ୍ୟ ତଥା ଆଗ୍ରହ, ଅର୍ଥାତ୍‌ ନିଜକୁ ଅନ୍ୟସ୍ଥାନରେ ରଖି ପରିସ୍ଥିତିକୁ ବିଚାର କରିବା।
ସଫଳ ଅଭିଭାବକ ସିଏ ଯିଏ ନିଜର ସନ୍ତାନସନ୍ତତି ବା ଅନ୍ୟାନ୍ୟ ପ୍ରିୟଜନକୁ ବାହ୍ୟ ପୃଥିବୀ ଏବଂ ପ୍ରକୃତି ସହିତ ସମ୍ପର୍କିତ ହେବାକୁ ଶିକ୍ଷାଦିଏ ା ଖାଲି ମଣିଷ ମଣିଷର ଅଭିଭାବକ ନୁହେଁ । ଗ୍ରହ, ନକ୍ଷତ୍ର, ସୂର୍ଯ୍ୟ, ଚନ୍ଦ୍ର, ନଦୀ, ସମୁଦ୍ର, ଗଛଲତା, ଜୀବଜନ୍ତୁଙ୍କ ଗୁଣ ଓ ସଂକେତ ମଣିଷ ପାଇଁ ଦିଗବାରେଣୀ ହୋଇପାରେ। ତେବେ ଏହା ରାତାରାତି ସମ୍ଭବ ନୁହେଁ। ତେଣୁ ପିଲାମାନଙ୍କ ବାଲ୍ୟକାଳରୁ ଏ ବିଷୟରେ ସଚେତନତା ହେବାକୁ ପଡ଼ିବ । ଇନ୍ଦ୍ରଧନୁ ଓ ପ୍ରଜାପତିର ରଙ୍ଗ, କୋଇଲି ଓ ଝରଣାର ନାଦ, ପିମ୍ପୁଡ଼ି ଓ ଘରଚଟିଆର ନିଷ୍ଠା ଓ ଶୃଙ୍ଖଳା ଭଳି ଅନେକ ପ୍ରାକୃତିକ ଉପସ୍ଥାପନ ମଣିଷକୁ ବହୁ ମାନସିକ ବିପର୍ଯ୍ୟୟରୁ ରକ୍ଷା କରିପାରେ। ବିଶ୍ୱ ସାହିତ୍ୟ ଓ ସଂସ୍କୃତିରେ ବିଶେଷତଃ ଭାରତୀୟ ଧର୍ମ ଓ ଦର୍ଶନରେ ମଣିଷକୁ କେବେ ବି ଛିନ୍ନମୂଳ କରାଯାଇନାହିଁ।
ଉପଦେଶର ଚାବୁକ ପିଟି ଅଭିଭାବକତ୍ୱ ଜାହିର କରାଯାଏ ନାହିଁ। ଉପଦେଶ ଦେବା ସହ ପିଲାଙ୍କ ସମକ୍ଷରେ ନିଜକୁ ଉଦାହରଣ ତଥା ଆଦର୍ଶ ହିସାବରେ ଉଭାହେବାକୁ ପଡ଼ିବ।
ପିଲାଏ ଯେମିତି ଅନୁଭବ କରିବେ ମୋର ମା’ବାପା ମୋ ଜୀବନର ସବୁଠୁ ନିର୍ଭରଶୀଳ ବତିଘର। ଆଜି ସାମାଜିକ ଜୀବନର ଅଧିକାଂଶ ଦୁର୍ଗତିର କାରଣ ମା’ବାପାମାନେ ସନ୍ତାନସନ୍ତତିଙ୍କ ପାଇଁ ପ୍ରଥମ ଆଦର୍ଶ ହେବାର ବିଫଳତା।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ଼, ବାଲେଶ୍ୱର
ମୋ. :୯୪୩୭୩୭୬୨୧୯