ମାହାଙ୍ଗା,୨୪।୭(ସ୍ବ.ପ୍ର.): ମାହାଙ୍ଗା ବ୍ଲକ ଦେଇ ଯାଇଥିବା ୮ ଏଫ୍ ଶାଖା କେନାଲର ୨୦ ଫୁଟ ଲମ୍ବ ବିଶିଷ୍ଟ ଗାର୍ଡୱାଲ ଶୁକ୍ରବାର ଅପରାହ୍ନରେ ଭୁଶୁଡି ପଡ଼ିଛି। କେନ୍ଦୁପାଟଣା ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଅଧୀନରେ ଏହି କେନାଲ ରହିଛିି। ରକ୍ଷଣାବେକ୍ଷଣ ଅଭାବରୁ ଏହା ଭୁଶୁଡି ପଡ଼ିଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ଗୋତରାଠାରେ ଥିବା ଡିଆଁ ପୋଲର ବାମ ପଟ କେନାଲ ବନ୍ଧରେ ରାସ୍ତାକୁ ଲାଗି ୨୦ ଫୁଟ ଲମ୍ବର ଏହି ଗାର୍ଡ ୱାଲ ଥିଲା। ଏହା ଭୁଶିଡିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପାଚେରି ଭୁଶୁଡିବା ଯୋଗୁ ଏହାକୁ ଲାଗିଥିବା କଂକ୍ରିଟ ରାସ୍ତାଟି କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। କେନାଲର ତଦାରଖ ଓ ରକ୍ଷଣାବେକ୍ଷଣ କରିବା ନିମନ୍ତେ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀ ଥିଲେ ମଧ୍ୟ କେହି ଏଥିପ୍ରତି ଗୁରୁତ୍ୱ ଦେଇନାହାନ୍ତି ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ଏହି କେନାଲର ବନ୍ଧର ଅନେକ ସ୍ଥାନ ଦୁର୍ବଳ ରହିଛି। ୪ ଦିନ ତଳେ ଏହି କେନାଲର ଗୋତରା ସେନାପତି ସାହିଠାରେ ଥିବା ଅନ୍ୟ ଏକ ଗାର୍ଡ ୱାଲ ଭୁଶୁଡି ପଡିଥିଲା। ବାରମ୍ବାର କେନାଲରେ ଘାଇ ହେଲେ ଖରିଫ ଫସଲ ପ୍ରଭାବିତ ହେବା ସମ୍ଭାବନାକୁ ଏଡ଼ାଇଦେଇ ହେବନାହିଁ।