ଗୁଡ଼ି ଉଡାଳିଙ୍କୁ ଥାନାରେ ଅଟକ ରଖି ଜେରା

କଟକ ଅଫିସ,୨୭।୧୨: ରବିବାର ଜଗତପୁର ଥାନା ଅଧୀନ ପୀରବଜାର ଅଞ୍ଚଳରେ ବେକରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ପୋଲିସ ଜଣେ ସୂତା ବିକ୍ରେତାଙ୍କୁ ଗିରଫ କରିଛି। ସେ ହେଲେ ସେଖ ଅନୱର। ସେ ମାଞ୍ଜା ସୂତା ବିକ୍ରି କରୁଥିବା ପୋଲିସ କହିଛି। ସେହିପରି ଗୁଡି ଉଡାଇବା ଅଭିଯୋଗରେ ଜଗତପୁର ଥାନା ପୋଲିସ ୨ଜଣ ଗୁଡି ଉଡାଳୀଙ୍କୁ ଥାନରେ ଅଟକ ରଖି ପଚରାଉଚୁରା ଜାରି ରଖିଛି।

ସୂଚନାଯୋଗ୍ୟ,ଗତକାଲି ଭଏରପୁରର ଯୁବକ ଜୟନ୍ତ ସାମଲ କଟକରୁ ନିଜ ଘରକୁ ଫେରୁଥିବାବେଳେ ମାଞ୍ଜା ସୂତାରେ ଗଳା କଟିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ପୀରବଜାରଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ମାଞ୍ଜା ସୂତା ତାଙ୍କ ଗଳାରେ ଗୁଡେଇ ହୋଇ ଯାଇଥିଲା। ସୂତା ଏତେ ଶକ୍ତ ଥିଲା ଯେ, ଏଥିରେ ଯୁବକଙ୍କ ଗଳା କଟିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାର ପକ୍ଷରୁ ଗୁଡି ସୂତା ବିକ୍ରେତା ଓ ଉଡାଳିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ. ୫୫୦/୨୧ ଦଫା. ୩୦୪) ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସୋମବାର ଉକ୍ତ ଘଟଣାରେ ୩ଜଣଙ୍କୁ ଅଟକ ରଖି ଜଗତପୁର ଥାନା ପୋଲିସ ଜେରା କରୁଛି । ଏହି ଘଟଣାକୁ ନେଇ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, ଏ ନେଇ କଟକରେ ଏକ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି। ମାଞ୍ଜା ସୂତା ବିକ୍ରିନେଇ କଟକର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ମାଞ୍ଜା ସୂତା ତିଆରି ଓ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share