ବିଜୁ ଜୟନ୍ତୀରେ ଅତିଥିଙ୍କ ଟିପ୍ପଣୀ ଚର୍ଚ୍ଚାରେ

ପାରାଦୀପ,୭।୩(ସ୍ବ.ପ୍ର.):ପାରାଦୀପରେ ରବିବାର ସମାନ୍ତରାଳ ଭାବେ ବିଜୁ ଜୟନ୍ତୀ ପାଳନ କରାଯାଇଥିଲା। ସେଥିରେ ଯୋଗଦେଇଥିବା ନେତାଙ୍କ ବୟାନ ସୋମବାର ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ସାରେ ନୂଆବଜାର ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସ୍ମୃତିଚାରଣ ସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଧାୟକ ସମ୍ବିତ ରାଉତରାୟ ଉପସ୍ଥିତ ଥିଲେ। ସଭାରେ ସୌମ୍ୟରଞ୍ଜନ ଦେଇଥିବା ଟିପ୍ପଣୀକୁ ନେଇ ରାଜନୀତି ସରଗରମ ହୋଇଛି। ଯେପରି ଅଜାଙ୍କ ନିଶ ଥିଲା, ମୋର ନାହିଁ। ବିଜୁଙ୍କ ନାମରେ ଦଳ ୨୨ ବର୍ଷ ହେଲା ମହୁ ଖାଇ ଚାଲିଛି। କେତେଦିନ ଏମିତି ଚାଲିଥିବ ବୋଲି ସେ କହିଛନ୍ତି। ସେହିପରି ଦାମୋଦର ରାଉତ କହିଥିଲେ, ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ବଦଳରେ ଏବେ ବିଜେଡି ନବୀନ ଓଡ଼ିଶା କରିବା ପାଇଁ ପ୍ରୟାସ ଚଳାଇଛି। ଏଭଳି ଟିପ୍ପଣୀକୁ ନେଇ ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ କୁହନ୍ତି, ନବୀନ ବାବୁଙ୍କୁ ଓଡ଼ିଶାର ଲୋକ ଭଲ ପାଉଛନ୍ତି। ନୂତନ ଓଡ଼ିଶା ହେଉ ଅବା ନବୀନ ଓଡ଼ିଶା କହିବାରେ ଅସୁବିଧା କେଉଁଠି। ବିଧାୟକ ସୌମ୍ୟରଞ୍ଜନଙ୍କୁ ଯଦି ଏହା ଭଲ ଲାଗୁନାହିଁ ତା ହେଲେ ସେ ବିଜେଡିକୁ ଆସିଲେ କାହିଁକି। ଦାମଙ୍କ ପ୍ରସଙ୍ଗରେ କହିଥିଲେ, ଦଳରୁ ଯିବା ପରେ ସେ ପ୍ରସଙ୍ଗକୁ ଅପ୍ରସଙ୍ଗ ଭଳି କଥା କହୁଛନ୍ତି।
ପାରାଦୀପରେ ସମ୍ପ୍ରତି ବିଜେଡିର ଶୀତଳ ବିବାଦ ଚାଲିଛି। ୨୦୧୯ ସାଧାରଣ ନିର୍ବାଚନ ସମୟରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ସମ୍ବିତ ରାଉତରାୟ ବିଧାୟକ ଟିକେଟ ପାଇଁ ଦାବିଦାର ଥିଲେ। ଶେଷରେ ସମ୍ବିତଙ୍କୁ ଟିକେଟ ମିଳିଥିଲା। ନିର୍ବାଚନ ପରଠାରୁ ବିଧାୟକ ସମ୍ବିତ ଓ ପୌରାଧ୍ୟକ୍ଷ ବସନ୍ତ ଅଲଗା ଭାବେ ନିଜ ସମର୍ଥକଙ୍କ ଜରିଆରେ କାର୍ଯ୍ୟକ୍ରମ କରି ଆସୁଛନ୍ତି। ଏପରିକି ଗତବର୍ଷ ପୌର ନିର୍ବାଚନ ସମୟରେ ସେମାନେ ନିଜ ସମର୍ଥକଙ୍କୁ ଦଳୀୟ ଓ ସ୍ବାଧୀନ ଭାବେ ପ୍ରାର୍ଥୀ କରାଇଥିଲେ। ରବିବାର ବିଜୁ ଜୟନ୍ତୀ ମଧ୍ୟ ସେଭଳି ହୋଇଥିଲା। ବସନ୍ତ ଦଳୀୟ ବ୍ୟାନରରେ ଅଠରବାଙ୍କୀରେ ଏବଂ ସମ୍ବିତ ସାରେ ନୂଆବଜାରସ୍ଥିତ ଟ୍ରଷ୍ଟ ଅଫିସ୍‌ ପରିସରରେ ଏହି ଜୟନ୍ତୀ ପାଳନ କରିଥିଲେ। ଟ୍ରଷ୍ଟ ଅଫିସ୍‌ରେ ଆୟୋଜିତ ସଭାକୁ ବସନ୍ତ ନ ଆସିବା ଘଟଣାରେ ବିଧାୟକ ସମ୍ବିତ କୁହନ୍ତି, ପାରାଦୀପ ମାଟି ବିଜୁ ବାବୁଙ୍କର। ଏଠାରେ ଜୟନ୍ତୀ ପାଳନ ବେଳେ ସ୍ବତଃପ୍ରବୃତ୍ତ ଭାବେ ଯୋଗ ଦେବାକଥା।