କୋଭିଡ୍‌-୧୯ କଟକଣା: ଉପନିର୍ବାଚନ ପାଇଁ ସଂଶୋଧିତ ଗାଇଡ୍‌ଲାଇନ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ଉପନିର୍ବାଚନ ପାଇଁ କୋଭିଡ୍‌-୧୯ କଟକଣାରେ କୋହଳ କରାଯାଇଛି। ସଂକ୍ରମିତ ଅଞ୍ଚଳ ବାହାରେ ୧୦୦ ବଦଳରେ ୨୦୦ ଲୋକ ଏକାଠି ହୋଇପାରିବେ। ଯଦି କୋଣସି ହଲ୍‌ରେ ବୈଠକ କରାଯାଉଥିବ ତେବେ ସେଠାରେ ସମୁଦାୟ ସିଟ୍‌ର ୫୦ ପ୍ରତିଶତରେ ବସିବାକୁ ଅନୁମତି ଦିଆଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୨୦୨୦ ଅକ୍ଟୋବର ପହିଲାରେ ଜାରି କରିଥିବା ନିର୍ଦ୍ଦେଶନାମାର ସଂଶୋଧନ କରି ନିର୍ବାଚନ ପାଇଁ ଖୋଲା ଜାଗାରେ ୨୦୦ ଲୋକ ଏକାଠି ହେବାକୁ ଅନୁମତି ଦେଇଛନ୍ତି। ସେହି ଆଧାରରେ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସଂଶୋଧିତ ଗାଇଡ୍‌ଲାଇନ ଜାରି କରାଯାଇଛି। ପୂର୍ବଭଳି ସାମାଜିକ, ରାଜନୈତିକ, ଆମୋଦ ପ୍ରମୋଦ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକଳାପ ଉପରେ ଅକ୍ଟୋବର ୩୧ ଯାଏ କଟକଣା ବଳବତ୍ତର ରହିବ। ଏହାପୂର୍ବରୁ ନଭେମ୍ବର ୩ରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ କମିଶନ ଏହି ଘୋଷଣା କରିଛନ୍ତି। ଉକ୍ତ ଦୁଇ ନିର୍ବାଚନ ମଣ୍ଡଳୀରେ ହଲ୍‌ରେ ହେଉଥିବା ବୈଠକ ପାଇଁ ସମୁଦାୟ ସିଟ୍‌ର ୫୦ ପ୍ରତିଶତ ଏବଂ ଖୋଲା ସ୍ଥାନରେ ୨୦୦ ଲୋକଙ୍କୁ ଏକାଠି ସଭା କରିବାକୁ ଅନୁମତି ଦିଆଯାଇଛି। ସଭାରେ ଏକାଠି ହେବାକୁ ଥିବା ଲୋକମାନଙ୍କୁ ଥର୍ମାଲ ସ୍କାନିଂ କରାଯିବା ସହ ସାମାଜିକ ଦୂରତ୍ୱ ରକ୍ଷା, ହାତକୁ ଭଲ ଭାବେ ଧୋଇବା ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଖୋଲା ସ୍ଥାନରେ ସଭା କରିବା ଲାଗି ସମ୍ପୃକ୍ତ ଜିଲା ପ୍ରଶାସନ ଠାରୁ ଅନୁମତି ଆଣିବାକୁ ହେବ। ରାଜନୈତିକ ସଭାରେ କୋଭିଡ୍‌ ନିୟମ ପାଳନ ହେଉଛି କି ନାହିଁ ତାହା ଉପରେ ଜିଲାପାଳ ନଜର ରଖିବେ।

Share