ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ମାର୍ଗଦର୍ଶିକା

ଭୁବନେଶ୍ୱର, ୧୯।୧୦(ସୁନିତ୍‌ ମିଶ୍ର)ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ୩୫ ଗ୍ରାମୀଣ ଜଳଯୋଗାଣ ଓ ପରିମଳ ଡିଭିଜନକୁ ନେଇ ଏକ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ, ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ୨୦୨୪ ଗ୍ରୀଷ୍ମଋତୁକୁ ଆଖି ଆଗରେ ରଖି ରାଜ୍ୟ ସରକାର ନଳକୂପ ଓ ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପଗୁଡ଼ିକୁ ପ୍ରସ୍ତୁତ ଏବଂ ବ୍ୟବହାରଯୋଗ୍ୟ ରଖିବା ସହ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ପ୍ରତିଟି ଗୃହରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଜିଲାଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ, ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଶତପ୍ରତିଶତ ନଳକୂପ ଓ ପାଇପ ଜଳଯୋଗାଣ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯିବ। ସେହିପରି ନିୟମିତ ରକ୍ଷଣାବେକ୍ଷଣକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରାଯିବ। ଗ୍ରାମପଞ୍ଚାୟତଗୁଡ଼ିକର ଆବଶ୍ୟକତା ଏବଂ କନିଷ୍ଠ ଯନ୍ତ୍ରୀ/ସହକାରୀ ଯନ୍ତ୍ରୀଙ୍କ ପରାମର୍ଶ ଆଧାରରେ ଅର୍ଥ କମିଶନଙ୍କ ଅନୁଦାନକୁ ବ୍ୟବହାର କରି ପ୍ରତ୍ୟେକ ପଞ୍ଚାୟତ ସମିତି ଯଥେଷ୍ଟ ପରିମାଣର ଯନ୍ତ୍ରାଂଶ, ରଙ୍ଗ, ରାଇଜର ପାଇପ କ୍ରୟ କରିବେ। ପ୍ରତ୍ୟେକ ଶନିବାର ପଞ୍ଚାୟତି ସମିତିରେ ପାନୀୟ ଜଳଯୋଗାଣ ସ୍ଥିତିର ନିୟମିତ ସମୀକ୍ଷା ବୈଠକ କରାଯିବ ବୋଲି ଉଲ୍ଲେଖ ରହିଛି। ଆଇଏମ୍‌ଏସ୍‌ ପୋର୍ଟାଲର ରିପୋର୍ଟ ଅନୁଯାୟୀ ରାଜ୍ୟର ୬୬ ପ୍ରତିଶତ ଗ୍ରାମୀଣ ଗୃହକୁ ଟ୍ୟାପ୍‌ ସଂଯୋଗ ହୋଇଛି ା ପ୍ରାୟ ୯୬୭୧ ଗ୍ରାମରେ ଶତପ୍ରତିଶତ ଜଳଯୋଗାଣ ଟ୍ୟାପ୍‌ ସଂଯୋଗ ହୋଇସାରିଛି। କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍‌ ସଂଯୋଗରେ ଅନ୍ତର୍ଭୁକ୍ତ ହେବାକୁ ଥିବା ମୋଟ ୪୭,୨୭୪ଟି ଗ୍ରାମ ପାଇଁ ରାଜ୍ୟ ସରକାର ଏକ ପରିପୁଷ୍ଟ ଯୋଜନା ପ୍ରସ୍ତୁତ କରିଛନ୍ତି ା ୩୧୮୫୪ (୬୫%)ଟି ଗ୍ରାମରେ ମେଗା ପାଇପ୍‌ ଜଳଯୋଗାଣ ଏବଂ ୧୫୪୨୦ (୩୫%) ଗ୍ରାମ କ୍ଷୁଦ୍ର ଓ ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ସଂଯୁକ୍ତ ହୋଇଥିବା ସୂଚନା ଦିଆଯାଇଛି।

Share