ବିବାହ ଉତ୍ସବରେ ସାମିଲ ହେବେ ମାତ୍ର ଶହେ ଜଣ: ବ୍ୟାଣ୍ଡବାଜା, ଡିଜେ ଉପରେ ଲାଗିଲା ପ୍ରତିବନ୍ଧକ

ଲକ୍ଷ୍ନୌ,୨୩।୧୧: ଦେଶରେ କରୋନା ଭାଇରସ୍‌ ମହାମାରୀ ଆତଙ୍କ ଜାରି ରହିଛି। ଦିଲ୍ଲୀ, ଗୁଜରାଟ ସମେତ କେତେକ ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍‌ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ କେତେକ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଓ ଲକ୍‌ଡାଉନ ଲାଗୁ ନେଇ ବିଚାର କରାଯାଉଛି। ଇତିମଧ୍ୟରେ ଉତ୍ତରପ୍ରଦେଶରେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବିବାହ ଉତ୍ସବ ହେଉ କି ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ ମାତ୍ର ଶହେ ଜଣ ଲୋକ ସାମିଲ ହୋଇପାରିବେ। ଏଥିସହ ବିବାହ ଉତ୍ସବ ପାଇଁ କିଛି ନୂଆ ଗାଇଡ୍‌ଲାଇନ ମଧ୍ୟ ରାଜ୍ୟ ସରକାର ଜାରି କରିଛନ୍ତି। ଏହି ଗାଇଡ୍‌ଲାଇନ ଅନୁସାରେ ଯଦି ବିବାହ ମଣ୍ଡପରେ ୧୦୦ଜଣ ବ୍ୟକ୍ତି ସାମିଲ ହେବାର କ୍ଷମତା ରହିଥାଏ, ତେବେ ସେଠାରେ ମାତ୍ର ୫୦ଜଣ ହିଁ ସାମିଲ ହୋଇପାରିବେ। ଏଥିସହ ବ୍ୟାଣ୍ଡବାଜା ଓ ଡିଜେ ଉପରେ ମଧ୍ୟ ରୋକୋ ଲଗାଯାଇଛି। କେବଳ ସେତିକି ନୁହେଁ, ବିବାହ କାର୍ଯ୍ୟକ୍ରମରେ ବୃଦ୍ଧ ଓ ରୋଗୀଙ୍କୁ ଆମନ୍ତ୍ରଣ କରାଯିବାକୁ ବାରଣ କରାଯାଇଛି। ଯଦି କୌଣସି ବ୍ୟକ୍ତି କୋଭିଡ ପ୍ରୋଟୋକଲକୁ ଭାଙ୍ଗନ୍ତି ତେବେ ତାଙ୍କ ବିରୋଧରେ ଧାରା ୧୪୪ ଓ ୧୮୮ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡା ଯଦି ଘରେ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୁଏ ତେବେ ଜିଲା ପ୍ରଶାସନର ଅନୁମତି ଆବଶ୍ୟକ ନାହିଁ। କିନ୍ତୁ ସ୍ଥାନୀୟ ଥାନାରେ ଏନେଇ ସୂଚନା ଦେବା ବାଧ୍ୟତାମୂଳକ ବୋଲି ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି।

Share