ଭୁବନେଶ୍ୱର, ୫। ୧୦(ବ୍ୟୁରୋ)- ଯୁକ୍ତ୨ ସ୍ପଟ୍ ନାମଲେଖା ପାଇଁ ସ୍ବତନ୍ତ୍ର ଗାଇଡ୍ଲାଇନ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। କେତେ ପିଲା ଚୟନ ହେବେ ଓ ନାମଲେଖା କିପରି ହେବ, ସେ ନେଇ ପ୍ରସ୍ତୁତ ଗାଇଡ୍ଲାଇନ ସଂକ୍ରାନ୍ତରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି। ଉକ୍ତ ଗାଇଡ୍ଲାଇନ୍ ଅନୁସାରେ, ସ୍ପଟ୍ ନାମଲେଖା ପାଇଁ ଯେଉଁମାନେ ମନୋନୀତ ହୋଇଥିବେ, ସେମାନଙ୍କ ତାଲିକା ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ସେମାନଙ୍କ ନୋଟିସ୍ ବୋର୍ଡରେ ପ୍ରଦର୍ଶିତ କରିବେ। ଛାତ୍ରୀଛାତ୍ର ମଧ୍ୟ ସ୍ପଟ୍ ନାମଲେଖାର ମେଧା ତାଲିକା ସାମ୍ସର ଓ୍ବେବ୍ସାଇଟ୍ www.samsodisha.gov.inରେ ଦେଖିପାରିବେ। ଯେଉଁମାନେ ନାମଲେଖା ପାଇଁ ଆବେଦନ କରିଥିଲେ, କିନ୍ତୁ କୌଣସି କାରଣରୁ ନାମ ଲେଖାଇ ପାରି ନାହାନ୍ତି, ସେମାନଙ୍କୁ କେବଳ ଏଥିପାଇଁ ଅନୁମତି ମିଳିବ।