ମହିଳା ଓ ଶିଶୁ ବିକାଶ ବିଭାଗର ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, ୧୬ା୫(ବ୍ୟୁରୋ): ମହିଳା, ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଡିଏସ୍‌ଡବ୍ଲ୍ୟୁ ଓ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତାଙ୍କ ସହ ଭର୍ଚୁଆଲ ବୈଠକରେ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହାପରେ ମାର୍ଗଦର୍ଶିକା ଜାରି ନେଇ ସମନ୍ବିତ ଶିଶୁ ବିକାଶ ଓ ସମାଜ କଲ୍ୟାଣର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। କରୋନାର ଦ୍ୱିତୀୟ ଲହର ଘାତକ ହୋଇଥିବାରୁ ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କ ପୁଷ୍ଟିସାଧନ, ସ୍ତନ୍ୟପାନ, ଅତିଶୟ ପୁଷ୍ଟିହୀନ ଶିଶୁଙ୍କ(ସାମ୍‌) ସ୍ବାସ୍ଥ୍ୟରକ୍ଷା ଏବଂ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନ ବିଭିନ୍ନ ଅଙ୍ଗନଓ୍ବାଡି କାର୍ଯ୍ୟକ୍ରମରେ କରୋନା ସମ୍ପର୍କିତ ସାବଧାନତା ଅବଲମ୍ବନ ଜରୁରୀ ବୋଲି ଚିଠିରେ ଲେଖାଯାଇଛି। ତେବେ ମାର୍ଗଦର୍ଶିକା ଅନୁସାରେ, ଆଇସିଡିଏସ୍‌ କ୍ଷେତ୍ର କର୍ମଚାରୀ ଓ ହିତାଧିକାରୀ ପରସ୍ପର ସହ ମତ ବିନିମୟ ସମୟରେ ମାସ୍କ ପିନ୍ଧିବେ। ୨ ବର୍ଷରୁ ଊର୍ଦ୍ଧ୍ୱ ପିଲା ଘରୁ ବାହାରକୁ ଆସିଲେ ମାସ୍କ ପିନ୍ଧିବାକୁ ଅଭିଭାବକଙ୍କୁ ସଚେତନ କରାଯିବ। କୌଣସି ଲକ୍ଷଣ ଦେଖାଗଲେ ସଙ୍ଗରୋଧରେ ରହିବେ।ସ୍ବାସ୍ଥ୍ୟରେ ଅବନତି ହେଲେ ହସ୍ପିଟାଲରେ ଆଡ୍‌ମିଟ୍‌ କରାଯିବ। ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସଦ୍ୟ ପ୍ରସ୍ତୁତ ଲୁଣି, ମିଠା ଏବଂ ଚର୍ବିରହିତ ପୁଷ୍ଟିକର ଖାଦ୍ୟ ଦିଆଯିବ। ପୂର୍ବରୁ ଚିହ୍ନଟ ହୋଇଥିବା ସାମ୍‌ ଓ ଅତିଶୟ ଅଳ୍ପ ଓଜନ ବିଶିଷ୍ଟ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ସିଡିପିଓ, ସୁପରଭାଇଜର ଏବଂ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଶନିବାର କିଶୋରୀଙ୍କୁ ଦିଆଯାଉଥିବା ଆଇରନ୍‌ ଓ ଫଲିକ୍‌ ଏସିଡ୍‌ ବଟିକା ଘରପାଖରେ ଆଶା/ଅଙ୍ଗନ୍‌ଓ୍ବାଡ଼ି କର୍ମୀମାନେ ଯୋଗାଇବେ। ସେହିଭଳି ସ୍କୁଲ ଛାତ୍ରୀଛାତ୍ରଙ୍କୁ ଏହି ବଟିକା ମଧ୍ୟାହ୍ନ ଭୋଜନ ରାଶନ ସାମଗ୍ରୀ ସହିତ ଶିକ୍ଷକମାନେ ଯୋଗାଇବେ। ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଶିଶୁଙ୍କ ଓଜନ ବୃଦ୍ଧିକୁ ନିୟମିତ ଭାବେ ତଦାରଖ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share