ହସ୍ପିିଟାଲ ପାଇଁ ଗାଇଡ୍‌ଲାଇନ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ସରକାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଏନେଇ ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ହସ୍ପିଟାଲଗୁଡ଼ିକରେ ଯେପରି ସଂକ୍ରମଣ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ପ୍ରତ୍ୟେକ ହସ୍ପିଟାଲରେ ପୃଥକ ଭାବେ ଜ୍ୱର ଓ ଆଇସୋଲେଶନ କ୍ଲିନିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ଆସୁଥିବା ସମସ୍ତ ଲୋକଙ୍କ ସ୍କ୍ରିନିଂ କରାଯିବା, ହାତଧୁଆ ବ୍ୟବସ୍ଥା ସହ ସାନିଟାଇଜର ରଖିବାକୁ କୁହାଯାଇଛି। ସେହିପରି ହସ୍ପିଟାଲର କୌଣସି ସେକ୍ସନରୁ ପଜିଟିଭ ବାହାରିଲେ ତୁରନ୍ତ ବନ୍ଦ କରାଯିବ। ଉକ୍ତ ସେକ୍ସନର ଅନ୍ୟ ରୋଗୀଙ୍କୁ ଅନ୍ୟତ୍ର ନିଆଯିବ, ରୁମ୍‌ ଖାଲି କରାଯିବ। ରୁମ୍‌ ସାନିଟାଇଜ୍‌ କରାଯାଇ ୨୪ ଘଣ୍ଟା ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କୋଭିଡ୍‌ ଟେଷ୍ଟ ରିପୋର୍ଟ ନ ଥିଲେ ମଧ୍ୟ କୌଣସି ଜୀବନ ବିପଦଯୁକ୍ତ ଚିକିତ୍ସା ପ୍ରତି ଅବହେଳା ନ କରିବା ପାଇଁ କଡ଼ା ତାଗିଦ କରିଛନ୍ତି ରାଜ୍ୟ ସରକାର। ଏପରି ସ୍ଥିତିରେ ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ଗାଇଡ୍‌ଲାଇନର ସମସ୍ତ ନିୟମାବଳୀ ପାଳନ କରି ଚିକିତ୍ସା କରିବେ। ସ୍ବାସ୍ଥ୍ୟକର୍ମୀଙ୍କୁ ରେଗୁଲାର ଇନ୍‌ଫେକ୍ସନ ପ୍ରିଭେନ୍‌ଶନ୍‌ ଆଣ୍ଡ୍‌ କଣ୍ଟ୍ରୋଲ ଗାଇଡ୍‌ଲାଇନ ଏବଂ କୋଭିଡ୍‌ ପ୍ରୋଟୋକଲ୍‌ ସମ୍ପର୍କରେ ଜଣାଇବାକୁ ଉକ୍ତ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି।

Share