ୟୁଜି, ପିଜି ପାଇଁ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କେନ୍ଦ୍ରୀୟ ଅନୁଦାନ ଆୟୋଗ(ୟୁଜିସି) ସ୍ନାତକ (ୟୁଜି) ଏବଂ ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ନିମନ୍ତେ ନିର୍ଦ୍ଦେଶାବଳୀ ଜାରି କରିଛି। ଶୁକ୍ରବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ ଟୁଇଟ୍‌ କରି ଜଣାଇଛନ୍ତି। ସେ ଲେଖିଛନ୍ତି, କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ୟୁଜିସି ପକ୍ଷରୁ ୟୁଜି ଓ ପିଜି ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା ଓ ଏକାଡେମିକ୍‌ କ୍ୟାଲେଣ୍ଡର ଉପରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଏପ୍ରିଲ୍‌ ୨୯ରେ ପ୍ରସ୍ତାବିତ ଏକାଡେମିକ୍‌ କ୍ୟାଲେଣ୍ଡରରେ ସଂଶୋଧନ କରାଯାଇଛି। ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ପାଇଁ ନଭେମ୍ବର ୧ରୁ ଏକାଡେମିକ୍‌ ଅଧିବେଶନ ଆରମ୍ଭ ହେବ। ଅବଶିଷ୍ଟ ଖାଲି ସିଟ୍‌ରେ ନାମଲେଖା ପାଇଁ ନଭେମ୍ବର ୩୦ ହେଉଛି ଶେଷ ତାରିଖ। ନଭେମ୍ବର ୧ରୁ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ୨୦୨୧ ମାର୍ଚ୍ଚ ୧ରୁ ୭ତାରିଖ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସମୟ ଦିଆଯିବ। ମାର୍ଚ୍ଚ ୮ରୁ ୨୬ତାରିଖ ପର୍ଯ୍ୟନ୍ତ ପ୍ରଥମ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ୨୭ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ପୁଣି ଏପ୍ରିଲ ୫ରୁ ପାଠପଢ଼ା ଆରମ୍ଭ ହେବ। ଅଗଷ୍ଟ୧ ରୁ ୮ତାରିଖ ପର୍ଯ୍ୟନ୍ତ ପରୀକ୍ଷା ପ୍ରସ୍ତୁତ ପାଇଁ ପିଲାଙ୍କୁ ସମୟ ଦିଆଯିବ। ଅଗଷ୍ଟ ୯ରୁ ୨୧ ଦ୍ୱିତୀୟ ସେମିଷ୍ଟର ହେବ। ଅଗଷ୍ଟ ୨୨ରୁ ୨୯ତାରିଖ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ। ଏହାପରେ ଅଗଷ୍ଟ ୩୦ ତାରିଖରୁ ପୁଣି ଦ୍ୱିତୀୟ ବର୍ଷର ପାଠପଢ଼ା ଆରମ୍ଭ ହେବ।

Share