ସାବାଳକଙ୍କୁ ଟିକା ପାଇଁ ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୨୫।୪: ଆସନ୍ତା ମାସ ୧ ତାରିଖରୁ ସମସ୍ତ ସାବାଳକଙ୍କୁ କୋଭିଡ୍‌ ଟିକା ଦିଆଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣକୁ ସଫଳ କରାଇବା ପାଇଁ କେନ୍ଦ୍ର ସରକାର ଶନିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି। ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତେ ଟିକା ନେବା ପାଇଁ କେନ୍ଦ୍ର ସରକାର ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି। ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ଅତିରିକ୍ତ ଘରୋଇ କୋଭିଡ୍‌ ଭାକ୍ସିନେଶନ ସେଣ୍ଟର (ସିଭିସି)ଗୁଡ଼ିକରେ ନିଜକୁ ପଞ୍ଜୀକୃତ କରାଇବାକୁ ହେବ। ସେମାନେ ଘରୋଇ ହସ୍ପିଟାଲ, ଶିଳ୍ପସଂସ୍ଥାରେ ଥିବା ହସ୍ପିଟାଲ, ଶିଳ୍ପ ସଂଘ ଆଦିରେ ପଞ୍ଜୀକରଣ କରାଇପାରିବେ। ମହଜୁଦ ପରିମାଣକୁ ଦେଖି ଯୋଗ୍ୟ ହିତାଧିକାରୀଙ୍କୁ ଟିକା ନେବା ତାରିଖ ସମ୍ପର୍କରେ ଜଣାଇଦିଆଯିବ। ୧୮ରୁ ୪୫ ବର୍ଷ ବୟସ ବର୍ଗର ଲୋକମାନେ ଟିକା ନେବା ଲାଗି ଘରୋଇ ହସ୍ପିଟାଲଗୁଡ଼ିକ ଅନ୍‌ଲାଇନ ପଞ୍ଜୀକରଣର ବ୍ୟବସ୍ଥା କରାଇବେ, ସିଭିସି ଷ୍ଟାଫ୍‌ଙ୍କୁ ଟିକାଦାନ, ଏହାର ପ୍ରତିକ୍ରିୟା, ପରିଚାଳନା ଏବଂ କୋଓ୍ବିନ୍‌ ବ୍ୟବହାର ସମ୍ପର୍କରେ ତାଲିମ ଦେବେ। ସିଭିସିରେ ଭିଡ଼ ପରିଚାଳନା ଲାଗି ସେମାନେ ଆଇନ ଶୃଙ୍ଖଳା କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।

କୋଭାକ୍ସିନ: ରାଜ୍ୟକୁ ୬୦୦,ଘରୋଇ ହସ୍ପିଟାଲ ପାଇଁ ୧୨୦୦ ଟଙ୍କା

ଭାରତ ବାୟୋଟେକ୍‌ ଏହାର କୋଭାକ୍ସିନ ଟିକା ଦାମ୍‌ ଶନିବାର ଘୋଷଣା କରିଛି। ରାଜ୍ୟ ସରକାର ଡୋଜ୍‌ ପ୍ରତି ୬୦୦ ଟଙ୍କାରେ ଏବଂ ଘରୋଇ ହସ୍ପିଟାଲଗୁଡ଼ିକ ୧,୨୦୦ ଟଙ୍କାରେ ଉକ୍ତ ଟିକା କିଣିପାରିବେ। ତେବେ କେନ୍ଦ୍ର ସରକାରଙ୍କୁ ପୂର୍ବ ଭଳି ୧୫୦ ଟଙ୍କାରେ ଟିକା ଯୋଗାଇ ଦିଆଯିବ। ଏହା ବ୍ୟତୀତ ୧୫ରୁ ୨୦ ଡଲାର (୧,୧୨୩ରୁ ୧,୪୯୮ ଟଙ୍କା) ରେ ବିଦେଶକୁ ରପ୍ତାନୀ କରାଯିବ ।
ମେ’ ୧ରୁ ସମସ୍ତ ସାବାଳକଙ୍କୁ ଟିକା ଦେବା ଲାଗି ସରକାର ଯୋଜନା କରିଥିବାବେଳେ ଟିକାକରଣ ନିୟମରେ ପରିବର୍ତ୍ତନ କରିଥିଲେ। ନୂଆ ନିୟମ ଅନୁଯାୟୀ ଉତ୍ପାଦିତ ଟିକାର ୫୦% କେନ୍ଦ୍ର ସରକାରଙ୍କୁ ଯୋଗାଇବା ପରେ ଅବଶିଷ୍ଟ ୫୦%କୁ କମ୍ପାନୀ ରାଜ୍ୟ ସରକାର ଏବଂ ଖୋଲା ବଜାରକୁ ବିକ୍ରି କରିପାରିବ। ପୂର୍ବରୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଏହାର କୋଭିଶିଲ୍ଡ ଟିକା ଦର ରାଜ୍ୟ ସରକାରଙ୍କ ପାଇଁ ୪୦୦ ଏବଂ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ କରିଥିଲା। ଏହା ସବୁଠୁ ମହଙ୍ଗା ଅଭିଯୋଗକୁ କମ୍ପାନୀ ଖଣ୍ଡନ କରିଛି। କୋଭିଶିଲ୍ଡ ସବୁଠୁ ଶସ୍ତା ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଦାବି କରାଯାଇଛି।

Share