ଭୁବନେଶ୍ୱର,୨୭।୨(ବ୍ୟୁରୋ): ମହାଶିବରାତ୍ରୀ ତଥା ଜାଗର ପାଇଁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ଗାଇଡଲାଇନ ଜାରି କରିଛନ୍ତି। ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବା ବେଳେ କୋଭିଡ୍ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ କୋଭିଡ ସଂକ୍ରମଣର ହ୍ରାସ ପାଇଛି। ତେଣୁ ମହାଶିବରାତ୍ରୀ ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିର, ଧର୍ମାନୁଷ୍ଠାନରେ ପୂଜାପାଠ ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଜିଲାପାଳ, ମ୍ୟୁନିସପାଲିଟି କମିଶନର, ପୋଲିସ କମିଶନର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶ୍ରଦ୍ଧାଳୁମାନେ ମନ୍ଦିର ଆସିବା ବେଳେ ମାସ୍କ, ସାମଜିକ ଦୂରତା ରକ୍ଷା, ପରିସ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ରଖି ଯେପରି ସମସ୍ତ କଟକଣା ପାଳନ କରନ୍ତି, ସେ ଉପରେ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।