
ନୂଆଦିଲ୍ଲୀ, ୨।୨ :ସୁପ୍ରିମକୋର୍ଟ କହିଛନ୍ତି ଯେ ମୃତ୍ୟୁ କାଳୀନ ବୟାନ ଆଧାରରେ ଦୋଷ ପ୍ରମାଣିତ ହୋଇ ପାରିବ। ଜଷ୍ଟିସ ଏମ.ଆର. ଶାହା ଏବଂ ବି.ଭି ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯଦି ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ସତ୍ୟ ଏବଂ ସ୍ବେଚ୍ଛାକୃତ ବୋଲି କୋର୍ଟ ସନ୍ତୁଷ୍ଟ ହୋଇଥାନ୍ତି। ତେବେ ଏହା ବିନା ଅନ୍ୟ କୌଣସି ପ୍ରମାଣରେ ଦଣ୍ଡବିଧାନର କାରଣ ମଧ୍ୟ ହୋଇପାରେ। ଟ୍ରାଏଲ କୋର୍ଟ ଦ୍ୱାରା ଲିପିବଦ୍ଧ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତର ଦୋଷକୁ ପୁଣି ପ୍ରମାଣିତ କରି ଶୀର୍ଷକୋର୍ଟ ଏଭଳି କହିଛନ୍ତି।
ଏହି ପରିପ୍ରେକ୍ଷୀରେ, ଟ୍ରାଏଲ୍ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ମାଜିଷ୍ଟ୍ରେଟଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ଉପରେ ନିର୍ଭର କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଭିଯୁକ୍ତ ଯୁକ୍ତି ଦର୍ଶାଇଥିଲେ ଯେ, ମୃତକ ନିଜ ଉପରେ ନିଜେ କିରୋସିନ୍ ଢାଳି ନିଆଁ ଲଗାଇଥିଲେ। ତେବେ ମୃତ୍ୟୁ କାଳୀନ ବୟାନ ଉପରେ ନିର୍ଭର କରିବାକୁ ମନା କରି ହାଇକୋର୍ଟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।
ଏହାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଆବେଦନରେ ମୃତ୍ୟୁ ପୂର୍ବରୁ ଦୁଇଟି ବୟାନ ଅଛି।
ଗୋଟିଏ ପୋଲିସ ଦ୍ୱାରା ୨୦-୧୨-୨୦୧୧ରେ ଏବଂ ଅନ୍ୟଟି ୨୨-୧୨-୨୦୧୧ ରେ ମାଜିଷ୍ଟ୍ରେଟଙ୍କ ଦ୍ୱାରା ରେକର୍ଡ କରାଯାଇଛି। ହାଇକୋର୍ଟ ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ବୟାନ ଉପରେ ଭରସା କରି ନାହାନ୍ତି। ହାଇକୋର୍ଟ କହିଥିଲେ ଯେ, ଦୁଇ ଦିନ ପୂର୍ବରୁ ପୋଲିସ ଦ୍ୱାରା ବୟାନ ରେକର୍ଡ କରାଯାଇଥିଲା। ମାତ୍ର ଏପରିସ୍ଥଳେ ମୃତ୍ୟୁ ପୂର୍ବରୁ ଦ୍ୱିତୀୟ ବୟାନ ରେକର୍ଡ କରିବାର କୌଣସି କାରଣ ନାହିଁ।
ଖଣ୍ଡପୀଠ କହିଛନ୍ତି ଯେ, ମୃତ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନ ଡାକ୍ତରୀ ପ୍ରମାଣ ସହିତ ମେଳ ଖାଉଛି। ଯାହା ଦର୍ଶାଉଛି ଯେ ଛାତି, ପେଟ ଏବଂ ପିଠି ବ୍ୟତୀତ ଶରୀରର ସମସ୍ତ ଅଂଶରେ ପୋଡା ଚିହ୍ନ ରହିଛି। ତେଣୁ, ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪ ସହିତ ଧାରା ୩୦୨ ଅନୁଯାୟୀ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଏବଂ୧୦,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି।