ବାରିପଦା,୨୫।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ସୋମବାର ଏକ ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ସୁମିତା ଜେନା ମାମଲାର ବିଚାର କରି ଅଭିଯୁକ୍ତ ଝାରପୋଖରିଆ ଥାନା ଅଧୀନ ଶଙ୍କୁଚା ଅଞ୍ଚଳର ବୃଦ୍ଧ ଜେଜେବାପାଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଅନାଦାୟ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ସହାୟତା ଦେବାକୁ ଜିଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ମାର୍ଚ୍ଚ ୨୧ରେ ପରିବାର ଲୋକେ କାମ କରିବାକୁ ବାହାରକୁ ଯାଇଥିଲେ। ଅପରାହ୍ନରେ ୪ ବର୍ଷର ନାତୁଣୀଙ୍କୁ ଏକୁଟିଆ ପାଇ ଜେଜେବାପା ବଳାତ୍କାର କରିଥିଲେ। ପରିବାର ଲୋକେ ଘରକୁ ଫେରିବା ପରେ ଝିଅ କାନ୍ଦୁଥିବା ଦେଖି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ପିଆର୍ଏମ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହାକୁ ନେଇ ତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ.୬୩/୨୧) ରୁଜୁ କରି ମାର୍ଚ୍ଚ ୨୩ରେ ଅଭିଯୁକ୍ତଙ୍କୁ ଗିରଫ କରି ଡାକ୍ତରୀମାଇନା ପରେ କୋର୍ଟଚାଲାଣ କରିଥିଲା। ସେହିଦିନଠାରୁ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତରେ ଥିଲେ। ୧୩ଜଣ ସାକ୍ଷୀଙ୍କ ବୟାନ, ପୋଲିସ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତିକରି କୋର୍ଟ ଶୁଣାଣି କରିଛନ୍ତି। ପୋକ୍ସୋ କୋର୍ଟ ସ୍ବତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।