Categories: ଜାତୀୟ

୩ଘଣ୍ଟା ପଚରାଉଚରା ପରେ ଗୁଜରାଟର ଏଏପି ମୁଖ୍ୟଙ୍କୁ ଛାଡ଼ିଲା ପୋଲିସ

ନୂଆଦିଲ୍ଲୀ,୧୩।୧୦: ଆମ ଆଦମୀ ପାର୍ଟିର ଗୁଜରାଟର ମୁଖ୍ୟ ଗୋପାଳ ଇଟାଲିଆଙ୍କୁ ଦିଲ୍ଲୀ ପୋଲିସ ଗୁରୁବାର ୩ଘଣ୍ଟା ଅଟକ ରଖିବା ପରେ ଛାଡ଼ିଛି। ଏହି ସମୟରେ ପୋଲିସ ତାଙ୍କୁ ଭାଇରାଲ ଭିଡ଼ିଓକୁ ନେଇ ପଚରାଉଚରା କରିଥିବା ଜଣାପଡ଼ିଛି। ଅନ୍ୟପଟେ ଏଏପି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଟୁଇଟ କରି କହିଛନ୍ତି, ଗୁଜରାଟବାସୀଙ୍କ ପ୍ରବଳ ଚାପ ଯୋଗୁ ପୋଲିସକୁ ଇଟାଲିଆଙ୍କୁ ଛାଡ଼ିବାକୁ ପଡ଼ିଛି। ଗୁଜରାଟବାସୀଙ୍କ ଏହା ବିଜୟ ହୋଇଛି। ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଗୋପାଳ ଇଟାଲିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ଯାହା ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଏହାକୁ ନେଇ ଭାଜପା ଲଗାତର ଏଏପିକୁ ଟାର୍ଗେଟ କରିଥିଲା। ଏପରିକି ରାଷ୍ଟ୍ରୀୟ ମହିଳା ଆୟୋଗ ଇଟାଲିଆଙ୍କୁ ଏହି ଭିଡିଓ ନେଇ ପଚରାଉଚରା କରିବା ପାଇଁ ଏକ ସମନ ଜାରି କରିଥିଲା। ଗୁରୁବାର ଗୋପାଳ ହାଜର ହୋଇଥିବା ବେଳେ ଦିଲ୍ଲୀ ପୋଲିସ ତାଙ୍କୁ ସରିତା ବିହାର ଥାନାକୁ ନେଇଥିଲା।

Share