Categories: ଜାତୀୟ

କୋଭିଡ୍‌ ମୃତକଙ୍କ ସଂଖ୍ୟା ଲୁଚାଇଥିବା ସ୍ବୀକାର କଲା ଗୁଜରାଟ

ନୂଆଦିଲ୍ଲୀ,୧୩।୧୨: କୋଭିଡ୍‌-୧୯ କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ବେଳେ ପ୍ରକୃତ ମୃତକଙ୍କ ସଂଖ୍ୟା ଲୁଚାଇଥିବା ଗୁଜରାଟ ସରକାର ସ୍ବୀକାର କରିଛନ୍ତି। ରାଜ୍ୟରେ କୋଭିଡ୍‌ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଥିବା ରିପୋର୍ଟ ସୋମବାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ରାଜ୍ୟ ସରକାର।

ଗୁଜରାଟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଯୋଗୁ ଦେଶରେ କୋଭିଡ୍‌ ଜନିତ ମୃତକଙ୍କ ସଂଖ୍ୟାରେ ୨ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବରୁ ରାଜ୍ୟରେ କୋଭିଡ୍‌ କାରଣରୁ ୧୦,୦୯୮ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। କିନ୍ତୁ ୧୯,୯୬୪ ପରିବାରକୁ କୋଭିଡ୍‌ କ୍ଷତିପୂରଣ ଦେଇଛନ୍ତି ରାଜ୍ୟ ସରକାର। ଫଳରେ ଦେଶର କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟା ୪.୮୫ ଲକ୍ଷକୁ ବୃଦ୍ଧି ପାଇଛି।

କ୍ଷତିପୂରଣ ପାଇଁ ସରକାରଙ୍କ ପାଖକୁ ୩୪,୬୭୮ ଆବେଦନ ଆସିଥିଲା। ମାତ୍ର ୧୯,୯୬୪ ଘଟଣାରେ ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ସୁପ୍ରିମକୋର୍ଟ କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ଯୋଜନାକୁ ମଞ୍ଜୁରୀ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କେବଳ ମହାରାଷ୍ଟ୍ର ଓ ଗୁଜରାଟର ତଥ୍ୟ ଉପଲବ୍ଧ ହୋଇଥିବା ବେଳେ ଅନ୍ୟ କୌଣସି ରାଜ୍ୟ ସରକାର ଏପର୍ଯ୍ୟନ୍ତ ସତ୍ୟପାଠ ଦାଖଲ କରି ନାହାନ୍ତି।

Share