Categories: ଜାତୀୟ

ମୋଦିଙ୍କ ଗସ୍ତ ପୂର୍ବରୁ ଗୁଜରାଟରେ ହିଂସାକାଣ୍ଡ: ୧୫ ଗିରଫ

ଅହମଦାବାଦ,୧୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ରବିବାର ରାତିରେ ଗୁଜରାଟର ବଡୋଦରାରେ ହିଂସାକାଣ୍ଡ ଘଟିଛି। ରାୱପୁରା ଟାୱାର ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏପରି କି ୨ ଗୋଷ୍ଠୀ ପରସ୍ପର ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ହିଂସାକାଣ୍ଡରେ ସମ୍ପୃକ୍ତ ୧୫ ଜଣଙ୍କୁ ଗିରଫ କରିଛି।

ହିଂସାକାଣ୍ଡ ବେଳେ ଏକ ମନ୍ଦିର ମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଥିବା ମଧ୍ୟ ଜଣାପଡ଼ିଛି। ଏନେଇ ଅଞ୍ଚଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ୨ ବାଇକ୍‌ ମଧ୍ୟରେ ଧକ୍କାହେବାରୁ ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ଘଟଣା ଉଗ୍ରରୂପ ନେଇ ୨ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ୧୦୦ରୁ ଊର୍ଦ୍ଧ୍ୱ ଗାଡ଼ି ଭଙ୍ଗାରୁଜା କରାଯାଇଛି। ଘଟଣା ପରେ ପୋଲିସ ଅଞ୍ଚଳକୁ ସିଲ୍‌ କରିଦେଇଛି।

ରାୱପୁର ଗୋଷ୍ଠୀ ସଂଘର୍ଷରେ କେତେଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। କୌଣସି ପ୍ରକାର ଗୁଜବକୁ ଜନସାଧାରଣଙ୍କୁ ବିଶ୍ୱାସ ନ କରିବାକୁ ବଡୋଦରା ପୋଲିସ କମିଶନର କହିଛନ୍ତି।

ଏହାପୂର୍ବରୁ ରାମନବମୀ ଶୋଭାଯାତ୍ରାରେ ଗୁଜରାଟର ହିମତନଗର ଏବଂ ଖମ୍ବତ ସହରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାରଠାରୁ ୩ ଦିନିଆ ଗୁଜରାଟ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୋଦି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏପରି କି ମୋଦିଙ୍କ ସହ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଡ. ଟେଡ୍ରୋସ ଘେବ୍ରେଏସ୍‌ ମଧ୍ୟ ଗୁଜରାଟ ଆସିବା କାର୍ଯ୍ୟକ୍ରମ ରହିଛି।

Share