Categories: ଜାତୀୟ

ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଭାଜପାରେ ସାମିଲ ହେବା କହିବା: ଇସ୍ତଫା ଦେଲେ ପ୍ରିନ୍ସିପାଲ

ଅହମଦାବାଦ, ୨୯ା୬: ଗୁଜରାଟର ଭାବନଗର ସ୍ଥିତ ଶ୍ରୀମତୀ ଏନ୍‌. ସି. ଗାନ୍ଧୀ ଏବଂ ବି. ଭି. ଗାନ୍ଧୀ ମହିଳା କଳା ଓ ବାଣିଜ୍ୟ ମହାବିଦ୍ୟାଳୟର ପ୍ରିନ୍ସିପାଲ ରଞ୍ଜନ ଗୋହିଲ ଛାତ୍ରୀମାନଙ୍କୁ ଭାଜପାରେ ଯୋଗଦେବାକୁ କହି ବିବାଦରେ ଫସିଛନ୍ତି। ଚାରିଆଡ଼ୁ ସମାଲୋଚିତ ହେବା ପରେ ଗୋହିଲଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ସୂଚନାଯୋଗ୍ୟ, ଜୁନ ୨୪ରେ ପ୍ରିନ୍ସିପାଲ ରଞ୍ଜନ ଗୋହିଲ ଏକ ସର୍କୁଲାର ଜାରି କରି ଛାତ୍ରୀମାନଙ୍କୁ ସେମାନଙ୍କ ଫଟୋ ଆଣିବାକୁ କହିଥିଲେ। ଏଥିସହ ଭାବନଗର ମ୍ୟୁନସିପାଲ କର୍ପୋରେଶନରେ ରହୁଥିବା ଛାତ୍ରୀମାନେ ଭାଜପା ଇଲେକ୍ଟୋରାଲ ପେଜ୍‌ କମିଟିର ସଦସ୍ୟ ହେବାକୁ ପଡ଼ିବ ବୋଲି କହିଥିଲେ। ଏହାକୁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସମାଲୋଚନା କରାଯିବା ସହ ପିଲାମାନଙ୍କୁ ଜୋରଜବରଦସ୍ତ ଭାଜପାରେ ସାମିଲ କରାଯାଉଥିବା ଗୁଜରାଟ କଂଗ୍ରେସର ପୂର୍ବତନ ସଭାପତି ଅର୍ଜୁନ ମୋଢ଼ଭାଦିଆ କହିଥିଲେ। ଏହା ଛାତ୍ରୀମାନଙ୍କ ପ୍ରତି ଅପମାନ ବୋଲି ଗୁଜରାଟ ଆମ୍‌ ଆଦ୍‌ମୀ ପାର୍ଟି ସଭାପତି କହିଛନ୍ତି। ଅନ୍ୟପଟେ ପ୍ରିନ୍ସିପାଲଙ୍କୁ ଏପରି ଚିଠି ପାଇଁ ଦଳ ପକ୍ଷରୁ କୁହାଯାଇ ନ ଥିବା ଭାବନଗର ଭାଜପା ସଭାପତି ରାଜୀବ ପାଣ୍ଡେ କହିଛନ୍ତି। ତେବେ କଲେଜରେ ଏଭଳି ରାଜନୈତିକ କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ ବୋଲି ମହାବିଦ୍ୟାଳୟ ଟ୍ରଷ୍ଟି ପକ୍ଷରୁ କୁହାଯାଇଛି।

Share