Categories: ଜାତୀୟ

ଦୋଷ ନ କରି ୬ ବର୍ଷ ହେବ ଜେଲ୍‌ଦଣ୍ଡ ଭୋଗୁଥିଲେ ୨ ବ୍ୟକ୍ତି, ଜଣାପଡିବା ପରେ…

ଗାନ୍ଧିନଗର,୪।୪: ହତ୍ୟା ଅଭିଯୋଗରେ ଜେଲରେ ଥିବା ୨ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଗୁଜରାଟ କୋର୍ଟ। ଯେଉଁ ବ୍ୟକ୍ତିଙ୍କ ହତ୍ୟା ଅଭିଯୋଗରେ ୬ ବର୍ଷ ହେବ ଏହି ଦୁଇ ବ୍ୟକ୍ତି ଜେଲ୍‌ରେ ଥିଲେ, ସେହି ବ୍ୟକ୍ତି ଜୀବିତ ଥିବା ଜଣାପଡିଛି। ମାର୍ଚ୍ଚ ୩୦ରେ ଗୁଜରାଟ କୋର୍ଟ ଅନୁସନ୍ଧାନକାରୀ ଅଧିକାରୀ ତଥା ତତ୍କାଳୀନ ଇନ୍ସପେକ୍ଟର ପ୍ରଦୀପ ସିଂ ଗୋହିଲଙ୍କ ଯାଞ୍ଚ୍‌ରେ ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା କହିଛନ୍ତି। ସମ୍ପୃକ୍ତ ୨ ଜଣଙ୍କୁ ୫୦-୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଘୋଷଣା କରିବାବେଳେ କୋର୍ଟ କହିଛନ୍ତି, ଅନୁସନ୍ଧାନକାରୀ ଅଧିକାରୀଙ୍କ ଯୋଗୁ ଉଭୟ ବ୍ୟକ୍ତିଙ୍କୁ ମାନସିକ ଏବେ ଶାରୀରିକ ଯନ୍ତ୍ରଣା ଭୋଗିବାକୁ ପଡିଛି। ଏଥି ସହିତ ସେମାନଙ୍କର ସମ୍ମାନ ମଧ୍ୟ ହାନୀ ହୋଇଛି।
ପୋଲିସର ସୂଚନାନୁସାରେ ଏହି ହତ୍ୟାକାଣ୍ଡରେ ନାଭସାରୀ ଗ୍ରାମୀଣ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଥିଲା। ଏହା ପରେ ମଦନ ପିପାଲାଡି ଏବଂ ସୁରେଶ ବଟେଲାଙ୍କୁ ଏହି ମାମଲାରେ ଅଭିଯୁକ୍ତ ଭାବରେ ୬ ଜୁଲାଇ ୨୦୧୬ ରେ ଗିରଫ କରାଯାଇଥିଲା। ଏଥିସହ ଏବେ ଉକ୍ତ ବ୍ୟକ୍ତିଙ୍କୁ ଜୀବନ୍ତ ମିଳିବା ପରେ ୫ ଦିନ ମଧ୍ୟରେ ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share