Categories: ଖେଳ

ଗୁଜରାଟ ଜାଏଣ୍ଟ୍ସର ଦ୍ୱିତୀୟ ବିଜୟ

ଲକ୍ଷ୍ନୌ, ୨୦।୯ : ଚଳିତ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ଗୁଜରାଟ ଜାଏଣ୍ଟ୍ସ। ଉଦ୍‌ଘାଟନୀ ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ୍ସକୁ ୩ ଉଇକେଟରେ ହରାଇଥିବା ଗୁଜରାଟ ଦଳ ସୋମବାର ମନିପାଲ ଟାଇଗର୍ସକୁ ୨ ଉଇକେଟରେ ପରାସ୍ତ କରିଛି। ମନିପାଲ ଟାଇଗର୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୨୦ ରନ କରିଥିବାବେଳେ ଗୁଜରାଟ ଜାଏଣ୍ଟ୍ସ ୧୭.୨ ଓଭରରେ ୮ ଉଇକେଟ ହରାଇ ୧୨୧ ରନ ସଂଗ୍ରହ କରି ନେଇଥିଲା। ପାର୍ଥିବ ପଟେଲ ସର୍ବାଧିକ ୩୪ ରନ କରି ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ମନିପାଲ ଟାଇଗର୍ସ ଦଳର କ୍ରିସ ମୋପୋଫୁ, ପରବିନ୍ଦର ଅଓ୍ବାନା, ହରଭଜନ ସିଂ ଓ ମୁଥୟା ମୁରଲୀଧରନ ୨ଟି ଲେଖାଏ ଉଇକେଟ ନେଇଥିଲେ। ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ ଜାଏଣ୍ଟ୍ସ। ପୂର୍ବ ମ୍ୟାଚ ଭଳି ଏଠାରେ ମଧ୍ୟ ମନିପାଲ ଟାଇଗର୍ସ ଦଳର ପ୍ରଦର୍ଶନ ଆଶାନୁରୂପ ରହି ନ ଥିଲା। ୨୨ ରନରେ ୩ଟି ଉଇକେଟ ହରାଇ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମିଡିଲ ଅର୍ଡରରେ ରବିକାନ୍ତ ଶୁକ୍ଳା ସର୍ବାଧିକ ୩୨ ରନ ସ୍କୋର କରିଥିଲେ। ମହମ୍ମଦ କୈଫ ୨୪ ଓ ଅଧିନାୟକ ହରଭଜନ ସିଂ ୧୮ ରନର ଯୋଗଦାନ ଦେଇଥିଲେ। ଗୁଜରାଟ ଦଳ ପକ୍ଷରୁ ଅଶୋକ ଦିଣ୍ଡା ଓ ତିଳକରନେତ୍ ଦିଲସାନ ୨ଟି ଲେଖାଏ ଏବଂ ରାୟଡ ଇମ୍ରିଟ ଓ ଥିସାରା ପେରେରା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମନିପାଲ ଟାଇଗର୍ସ ୨୦ ଓଭରରେ ୧୨୦/୮ (ରବିକାନ୍ତ ଶୁକ୍ଳା-୩୨, ମହମ୍ମଦ କୈଫ-୨୪, ଅଶୋକ ଦିଣ୍ଡା-୨/୨୨, ତିଳକରନେତ୍ ଦିଲସାନ-୨/୧୮, ରାୟଡ ଇମ୍ରିଟ-୧/୫, ଥିସାରା ପେରେରା-୧/୧୬)। ଗୁଜରାଟ ଜାଏଣ୍ଟ୍ସ ୧୭.୨ ଓଭରରେ ୧୨୧/୮ (ପାର୍ଥିବ ପଟେଲ-୩୪, କେଭିନ ଓ’ବ୍ରାଏନ-୨୩, କ୍ରିସ ମୋପୋଫୁ-୨/୨୬, ପରବିନ୍ଦର ଅଓ୍ବାନା-୨/୧୩, ହରଭଜନ ସିଂ-୨/୨୩, ମୁଥୟା ମୁରଲୀଧରନ-୨/୧୦)।

Share