ନୂଆଦିଲ୍ଲୀ,୨୬।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ସୁରଟସ୍ଥିତ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ନିମ୍ନ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରି ସେ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ତାଙ୍କ ଆବେଦନର ଶୁଣାଣି କରିବାକୁ ଥିବା ବିଚାରପତି ଏବେ ନିଜ ଆଡୁ ଏହି ମାମଲାରୁ ଓହରି ଯାଇଛନ୍ତି।
ସୂଚନାନୁଯାୟୀ, ଜଷ୍ଟିସ ଗୀତା ଗୋପୀ କୋର୍ଟ ରେଜିଷ୍ଟ୍ରିକୁ ଏହି ମାମଲାକୁ ଅନ୍ୟ ଖଣ୍ଡପୀଠକୁ ହସ୍ତାନ୍ତର କରିବା ପାଇଁ କହିଛନ୍ତି। ଏଥିସହ ସେ ଏ ନେଇ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରି ରାହୁଲଙ୍କ ଆବେଦନକୁ ଫେରାଇ ଦେଇଛନ୍ତି। ହେଲେ ସେ ଏପରି କାହିଁକି କରିଛନ୍ତି, ସେନେଇ କିଛି କହିନାହାନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦ୍ୱାରା ମାନହାନି ମାମଲାରେ ୨ ବର୍ଷ ଦଣ୍ଡିତ କରାଯାଇଛି। ତେବେ ଦଣ୍ଡାଦେଶ ପରେ ତୁରନ୍ତ ରାହୁଲ ଗାନ୍ଧୀ ଜାମିନ ପାଇଛନ୍ତି। ରାହୁଲ ଗାନ୍ଧୀ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ ବୋଲି କୋର୍ଟ ତାଙ୍କ ଦଣ୍ଡକୁ ୩୦ ଦିନ ପାଇଁ ସ୍ଥଗିତ ରଖିଥିଲେ।
ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୪ ମାର୍ଚ୍ଚରେ ରାହୁଲଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରିଦିଆଯାଇଥିଲା। ଏହାପରେ ମାର୍ଚ୍ଚ ୨୭ ରେ ଲୋକ ସଭା ଗୃହ କମିଟି ସରକାରୀ ବଙ୍ଗଳା ଖାଲି କରିବାକୁ ରାହୁଲଙ୍କ ନୋଟିସ ପଠାଇଥିଲା। ନୋଟିସରେ ଏପ୍ରିଲ ୨୨ ସୁଦ୍ଧା ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା।