Categories: ଜାତୀୟ

୧୨ବର୍ଷର ପୁଅଙ୍କୁ ନଦୀକୁ ଠେଲିଦେଲେ

ସୁରଟ,୪।୧୧: ବାପ ନିଜ ନାବାଳକ ପୁଅକୁ ନଦୀକୁ ଠେଲି ହତ୍ୟା କରିଛନ୍ତି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଗୁଜରାଟ ସୁରଟର ତାନପୁର ଅଞ୍ଚଳରେ ଘଟିଛି। ସୂଚନା ଯୋଗ୍ୟ, ଗୁଜୁରାଟ ସୁରଟର ସଇଦ ଇଲିୟାଜ ଶେଖ ନାମକ ଜଣେ ବ୍ୟକ୍ତି ନିଜ ୧୨ ବର୍ଷର ପୁଅକୁ ବାଣ କିଣି ଦେବା ବାହାନାରେ ଡାକିନେଇ ବ୍ରିଜ ଉପରୁ ନଦୀକୁ ଠେଲି ଦେଇଥିଲେ। ହେଲେ ଇଲିୟାଜ ପ୍ରଥମେ ପୋଲିସକୁ ପୁଅ ସେଲ୍ଫି ନେବା ବେଳେ ପୋଲ ତଳକୁ ଖସିପଡ଼ି ଥିବା କହିଥିଲେ। ପୋଲିସ ଯାଞ୍ଚ ବେଳେ ସତ୍ୟ ପଦାକୁ ଆସିଥିଲା। ଅଭିଯୁକ୍ତ ବାପା ଇଲିୟାଜଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଛି।

ଅଭିଯୁକ୍ତ ଇଲିୟାଜ ଅକ୍ଟୋବର ୩୧ରେ ପୁଅକୁ ତାପି ନଦୀ ଉପରେ ନିର୍ମାଣ ହେଉଥିବା ପୋଲ ନିକଟକୁ ଡାକି ନେଇଥିଲେ। ସେଠାରେ ସେ ନାବାଳକ ପୁଅକୁ ନଦୀକୁ ଠେଲି ଦେଇଥିଲେ। ପରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଯାଇ ଖୁବ ଜୋରରେ ମୋ ପୁଅ ନଦୀରେ ପଡିଗଲା ବୋଲି ଡାକ ପକାଇଥିଲେ। ଏହା ଶୁଣି ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଓ ଦମକଳ ବାହିନୀ ନଦୀରୁ ମୃତଦେହ ଜବତ କରିଥିଲା।

ଅନ୍ୟ ପୁରୁଷସହ ସ୍ତ୍ରୀଙ୍କ ଗୁପ୍ତ ସମ୍ପର୍କରୁ ଉକ୍ତ ନାବାଳକ ପୁଅ ଜନ୍ମ ନେଇଥିବା ସନ୍ଦେହ କରି ଇଲୟାଜ୍‌ ଏଭଳି ଘଟଣା ଘଟାଇଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ।

 

Share