Categories: ଜାତୀୟ

ଦିନ ୨ଟା ୨୦ରେ ଶପଥ ନେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ଶାହା, ଶିବରାଜ

ଗାନ୍ଧିନଗର,୧୩ ।୯: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ବଛା ଯାଇଥିବା ଭୁପେନ୍ଦ୍ର ପଟେଲ ସୋମବାର ଦିନ ୨ଟା ୨୦ରେ ଶପଥ ନେବେ ବୋଲି ଜଣାପଡିଛି । ଏହାର ଦୁଇ ଦିନ ପରେ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଶପଥ ଦିଆଯିବ । ନିଜେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ଶାହା ୧୨ଟା ୩୦ ସୁଦ୍ଧା ଅହମଦାବାଦ ପହଞ୍ଚିବେ ବୋଲି ଜଣାପଡିଛି । ଶାହାଙ୍କ ବ୍ୟତୀତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ଦଳର ବୈଠକ ବସିଥିଲା । ଏଥିରେ ଭୁପେନ୍ଦ୍ର ପଟେଲଙ୍କୁ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ବଛା ଯାଇଥିଲା । ଯଦିଓ ମୁଖ୍ୟମନ୍ତ୍ରୀ ରେସ୍‌ରେ ନୀତୀନ ପଟେଲ ଓ ମଣ୍ଡବିୟଙ୍କ ନାଁ ଆସୁଥିଲା ତଥାପି ଭାଜପା ନୂଆ ଚେହେରା ସହ ପାଟିଦାର ସମ୍ପ୍ରଦାୟରୁ ଆସିଥିବା ଭୁପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଦେଲା । ସୋମବାର ଅର୍ଥାତ୍ ୧୩ ସେପ୍ଟେମ୍ବରରୁ ଗୁଜରାଟରେ ଭୁପେନ୍ଦ୍ର ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ରୁପାନୀଙ୍କ ଇସ୍ତଫା ପରେ ଭାଜପାକୁ ପୁଣିଥରେ ତୃଣମୂଳ ସ୍ତରର ନେତାଙ୍କ ଆବଶ୍ୟକତା ଥିଲା । ଏହା ଶେଷରେ ଭୁପେନ୍ଦ୍ରଙ୍କ ପାଖରେ ଶେଷ ହେଲା । ଆଗାମୀ ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଙ୍କ ସକ୍ରିୟ ଭୂମିକା ରହିବ ।

Share