Categories: ଜାତୀୟ

କେଉଁ ସରକାରଙ୍କ ସମୟରେ ଗୁଜରାଟରେ ଦଙ୍ଗା ହୋଇଥିଲା ?

ନୂଆଦିଲ୍ଲୀ,୨।୧୨: ୨୦୦୨ରେ ଗୁଜରାଟରେ ମୁସଲମାନ ବିରୋଧୀ ହିଂସା କେଉଁ ସରକାରଙ୍କ ଅମଳରେ ସଂଗଠିତ ହୋଇଥିଲା ? ଏଭଳି ଏକ ମଲ୍ଟିପୁଲ ଚୟସ ପ୍ରଶ୍ନ ଆସିଥିଲା ଦ୍ୱାଦଶ ଶ୍ରେଣୀର ସମାଜ ବିଜ୍ଞାନ (ସୋସିଓଲୋଜି) ଟର୍ମ ୧ ଏକ୍ସାମରେ। ପ୍ରଶ୍ନର ଉତ୍ତର ପାଇଁ ୪ଟି ବିକଳ୍ପ ଥିଲା, ଯାହାକି ‘କଂଗ୍ରେସ, ଭାଜପା, ଡେମୋକ୍ରାଟିକ୍‌, ରିପବ୍ଲିକାନ’।

ଏଭଳି ପ୍ରଶ୍ନ ଅନୁଚିତ। ଆଉ ଏହି ତ୍ରୁଟିକୁ ସ୍ବୀକାର କରୁଛି ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଟୁଇଟ୍‌ କରିଛି।

”ଆଜି ଦ୍ୱାଦଶ ଶ୍ରେଣୀର ସାମାଜିକ ବିଜ୍ଞାନ ଟର୍ମ ୧ ପରୀକ୍ଷାରେ ଏକ ଅନୁଚିତ ପ୍ରଶ୍ନ କରାଯାଇଛି। ଏହା ବାହ୍ୟ ବିଷୟ ଲାଗି ଧାର୍ଯ୍ୟ ସିବିଏସ୍‌ଇ ଗାଇଡଲାଇନକୁ ଭଙ୍ଗ କରୁଛି। ଏଭଳି ତ୍ରୁଟିକୁ ବୋର୍ଡ ସ୍ବୀକାର କରୁଛି। ଏଥିଲାଗି ଦାୟୀ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ“ ବୋଲି ବୋର୍ଡ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୦୨ରେ ସାବରମତୀ ଏକ୍ସପ୍ରେସର ଏକ କୋଚ୍‌କୁ ଗୁଜରାଟର ଗୋଧ୍ରାରେ ଜାଳି ଦିଆଯାଇଥିଲା। ସେଥିରେ ପ୍ରାଣ ହରାଇଥିଲେ ୫୯ ହିନ୍ଦୁ ସାଧୁ। ଏହାକୁ କେନ୍ଦ୍ର କରି ସଂଗଠିତ ଦଙ୍ଗାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର କ୍ଲୋଜର ରିପୋର୍ଟ ଦାଖଲ କରାଯାଇଥିଲା ୨୦୧୨ ଫେବୃୟାରୀରେ। ସ୍ବତନ୍ତ୍ର ତଦନ୍ତକାରୀ ଦଳ ଅଭିଯୁକ୍ତଙ୍କ ତାଲିକାରୁ ସେତେବେଳର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୬୩ ଜଣଙ୍କୁ ମୁକ୍ତ କରିଥିଲା।

Share