Categories: ଜାତୀୟ

ବାତ୍ୟା ପୂର୍ବରୁ ଥରିଲା ଗୁଜରାଟ…

ଅହମଦାବାଦ,୧୭।୫: ବାତ୍ୟା ତାଉକ୍‌ତାଏ ଗୁଜରାଟରେ ମାଡ଼ ହେବା ପୂର୍ବରୁ ରାଜ୍ୟରେ ଭୂକମ୍ପ ହୋଇଛି। ସୋମବାର ଭାରତୀୟ ସମୟ ଭୋର୍‌ ୩ଟା ୭(୩ଟା ୩୭ ଜିଏମ୍‌ଟି)ରେ ଗୁଜରାଟର ରାଜୁଲା, ଆମରେଲିରେ ଭୂକମ୍ପ ହୋଇଥିବା ଭାରତୀୟ ଭୂବିଜ୍ଞାନ ଗବେଷଣା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ଥିଲା। ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ୧୦ କିଲୋମିଟର ତଳେ ଥିଲା ବୋଲି ଅନୁମାନ କରାଯାଉଛି। ଭୂକମ୍ପ ହେବାରୁ ଘରେ ଶୋଇଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ। ଭୂକମ୍ପ ଯୋଗୁ କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ମିଳିନାହିଁ। ରାଜ୍ୟରେ କରୋନା ମହାମାରୀ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ସେହିପରି ବାତ୍ୟା ତାଉକ୍‌ତାଏ ନେଇ ରାଜ୍ୟରେ ଏନଡିଆର୍‌ଏଫ୍‌ ଟିମ୍‌କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଟରକ୍ଷୀ ବାହିନୀଙ୍କୁ ବାତ୍ୟା ମୁକାବିଲା ଲାଗି ସତର୍କ ରହିବାକୁ କୁହାଯାଇଛି।

Share