Categories: ଖେଳ

ହାଇଦ୍ରାବାଦକୁ ହରାଇଲା ଗୁଜରାଟ

ଅହମଦାବାଦ,୧୫।୫: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଆଇପିଏଲ୍‌ର ୬୨ତମ ମ୍ୟାଚ୍‌ରେ ଗୁଜରାଟ ୩୪ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ସହ ଗୁଜରାଟ ୧୬ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖି ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ କରିଛି। ଆମନ୍ତ୍ରଣ ପାଇ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୮୮ ରନ୍‌ କରିଥିଲା। ଫଳରେ ହାଇଦ୍ରାବାଦ ଆଗରେ ୧୮୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଗୁଜରାଟ। ହେଲେ ହାଇଦ୍ରାବାଦ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୦ ଓଭରରେ ୯ ଉଇକେଟ ହରାଇ ୧୫୪ ରନ୍‌ କରି ପରାଜିତ ହୋଇଥିଲା।

୧୮୯ ରନ୍‌ ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦ ୫୯ ରନ୍‌ରେ ୭ ବ୍ୟାଟରଙ୍କୁ ହରାଇଥିଲା। ହେଲେ ହେନରିଚ୍‌ କ୍ଲାସେନ୍‌ଙ୍କ ୬୪ ଓ ଭୁବନେଶ୍ୱର କୁମାରଙ୍କ ୨୭ ରନ୍‌ ସହାୟତାରେ ଅଷ୍ଟମ ଉଇକେଟରେ ୬୮ ରନ୍‌ ଯୋଗକରି ପରାଜୟ ବ୍ୟବଧାନ କମ୍‌ କରିଥିଲେ। ଗୁଜରାଟ ପକ୍ଷରୁ ମହମ୍ମଦ ଶାମି ଓ ମୋହିତ ଶର୍ମା ୪ଟି ଲେଖାଏ ଓ ୟଶ ଦୟାଲ ଗୋଟିଏ ଉଇକେଟ ନେଇଥିଲେ।

Share