Categories: ଖେଳ

ଗୁଜରାଟର ଅବିଶ୍ୱସନୀୟ ବିଜୟ

ଲକ୍ଷ୍ନୌ,୨୨।୪: ଭରତରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୩୦ତମ ଲୋସ୍କୋରିଂ ମ୍ୟାଚ୍‌ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଅବିଶ୍ୱସନୀୟ ବିଜୟ ଲାଭ କରିଛି। ଦଳର ମୋହିତ ଶର୍ମାଙ୍କ ଶେଷ ଓଭରରେ ଲକ୍ଷ୍ନୌକୁ ୧୨ ରନ୍‌ ଆବଶ୍ୟକ ରହିଥିବା ବେଳେ ମାତ୍ର ୪ ରନ୍‌ କରିଥିଲା। ଏହି ଓଭରରେ କେ.ଏଲ୍‌ ରାହୁଲ ଆଉଟ୍‌ ହେବା ସହ ଅନ୍ୟ ୩ ବ୍ୟାଟର ଆଶ୍ଚର୍ଯ୍ୟଜନକ ଭାବେ ଆଉଟ୍‌ ହୋଇଥିଲେ। ଫଳରେ ଲକ୍ଷ୍ନୌ ବିଜୟ ଲକ୍ଷ୍ୟ ପୂରଣ କରିପାରି ନ ଥିଲା। ଦଳ ପକ୍ଷରୁ ଅଧିନାୟକ କେ.ଏଲ ରାହୁଲ ସର୍ବାଧିକ ୬୮ ରନ୍‌ କରିଥିଲେ ମଧ୍ୟ ମ୍ୟାଚ୍‌ ଜିତାଇ ପାରି ନ ଥିଲେ।

ଗୁଜରାଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ଦଳ ୧୩୫ ରନ୍‌ କରିଥିଲା । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୬୬ ରନ୍‌ କରିଥିବା ବେଳେ ରିଦ୍ଧିମାନ ଶାହା ୪୭ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ଫଳରେ ଲକ୍ଷ୍ନୌ ଆଗରେ ୧୩୬ ରନ୍‌ର ବିଜୟ ଟାର୍ଗେଟ ରଖିଥିଲା ଗୁଜରାଟ। ୧୩୬ ରନ୍‌ର ପିଛା କରି ବ୍ୟାଟିଂ କରିବାକୁ ଆସି ଲକ୍ଷ୍ନୌ ପ୍ରାରମ୍ଭିକ ଦମ୍‌ଦାର ଷ୍ଟାର୍ଟ ଦେଇଥିଲା। ଏପରିକି ଅଧିନାୟକ କେ.ଏଲ୍‌ ରାହୁଲ ୧୯ ଓଭର ପର୍ଯ୍ୟନ୍ତ ଖେଳି ୬୮ ରନ୍‌ କରିଥିଲେ। ହେଲେ ମୋହିତ ଶର୍ମାଙ୍କ ଶେଷ ଓଭରରେ ଦଳ ୪ ଉଇକେଟ ହରାଇ ମ୍ୟାଚ୍‌ ହାତଛଡା କରିଥିଲା।

Share