Categories: ଜାତୀୟ

ମହିଳା କନଷ୍ଟେବଳଙ୍କୁ ଭାଜପା ମନ୍ତ୍ରୀଙ୍କ ପୁଅ ଦେଲେ ଧମକ: ‘ଏକ ବର୍ଷ ପର୍ଯ୍ୟନ୍ତ ତୁମକୁ ଏଭଳି ଛିଡ଼ା କରି ରଖିପାରିବି’

ନୂଆଦିଲ୍ଲୀ,୧୨।୭: ଗୋଟିଏ ବର୍ଷ ପର୍ଯ୍ୟନ୍ତ ତୁମକୁ ଏଭଳି ଛିଡ଼ା କରି ରଖିପାରିବି। ଜଣେ ମହିଳା କନଷ୍ଟେବଳଙ୍କୁ ଏଭଳି କିଛି ଧମକ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଭାଜପାର ଜଣେ ମନ୍ତ୍ରୀଙ୍କ ପୁଅ। ଗୁଜରାଟ ର ସ୍ବାସ୍ଥ୍ୟମନ୍ତ୍ରୀ କୁମାର କନାନୀଙ୍କୁ ପୁଅ ପ୍ରକାଶଙ୍କ ଏକ ଅଡିଓ ଏବେ ଭାଇରାଲ ହେଉଛି। ଏଥିରେ ପ୍ରକାଶ ମହିଳା ପୋଲିସ କର୍ମଚାରୀ ସୁନୀତା ଯାଦବଙ୍କୁ ଧମକ ଦେଉଥିବା ଦେଖାଯାଇଛି। ତେବେ ଘଟଣା ପରେ ସୁନିତା ଚାକିରିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ସୁନିତା ବୁଧବାର ରାତିରେ ସୁରଟର ମାନଗଡ଼ଠାରେ ପ୍ରକାଶ ଏବଂ ତାଙ୍କ ବନ୍ଧୁମାନଙ୍କୁ କର୍ଫ୍ୟୁ ନିୟମ ଉଲ୍ଲଂଘନ କରୁଥିବାକୁ ନେଇ ରୋକିଥିଲେ। ପ୍ରକାଶ ମାସ୍କ ମଧ୍ୟ ପିନ୍ଧି ନ ଥିଲେ। ଏହାକୁ ନେଇ ପ୍ରଶ୍ନ କରାଯିବା ପରେ ପ୍ରକାଶ ତାଙ୍କୁ ଧମକ ଦେଇଥିଲେ। ମୋ ପାଖରେ ପାଓ୍ବାର ଅଚି। ୩୬୫ ଦିନ ପର୍ଯ୍ୟନ୍ତ ତୁମକୁ ଏହିଠାରେ ଛିଡ଼ା କରି ରଖିପାରିବେ। ଏହାର ଜବାବ ରଖି ସୁନିତା କହିଥିଲେ, ମୁଁ ତୁମ ବାପାଙ୍କ ଚାକର ନୁହେଁ ଯେ ଏକ ବର୍ଷ ଧରି ଏଠାରେ ଛିଡ଼ା ହୋଇ ରହିବି।

ଏହାପରେ ସୁନିତା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଫୋନ୍‌ରେ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ରାତିରେ କର୍ଫ୍ୟୁ ଭାଙ୍ଗି ବୁଲୁଥିବା ୫ଜଣଙ୍କୁ ସେ ରୋକିଥିବା କହିଥିଲେ। ସେଥିରେ ଜଣେ ବିଧାୟକ କନାନୀଙ୍କ ପୁଅ ଅଛନ୍ତି। ସେ ତାଙ୍କୁ ଗାଳିଗୁଲଜ କରୁଛନ୍ତି। ଏହା ଶୁଣି ଅଧିକାରୀଜଣଙ୍କ ତାଙ୍କୁ ସେଠାରୁ ଚାଲି ଆସିବାକୁ କହିଥିଲେ।

ହେଲେ ଘଟଣାକୁ ନେଇ ବ୍ୟଥିତ ହୋଇ ଶେଷରେ ସୁନିତା ଇସ୍ତଫା ଦେଇ ଦେଇଛନ୍ତି। ଅପରପକ୍ଷେ ଘଟଣାର ଭିଡିଓ ଭାଇରାଲ ହେବା ପରେ ସୁରଟ ପୋଲିସ କମିଶନର ଘଟଣାର ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି। ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ କମିଶନର ପି ଏଲ୍‌ ଚୌଧୁରୀ କହିଛନ୍ତି।

Share